କେବେ ଫେରିବ ରାହୁଲଙ୍କ ସାଂସଦ ପଦ? ଲୋକସଭା ସଚିବାଳୟକୁ ସୁପ୍ରିମକୋର୍ଟ ଆଦେଶର କପି ଦେଲେ ଅଧୀର ଚୌଧୁରୀ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତା ଯଥାଶୀଘ୍ର ଫେରାଇବାକୁ କଂଗ୍ରେସ ଦାବି କରିଛି ।

ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରେ ଶୀଘ୍ର ପୁନଃ ଅବସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ଚୌଧୁରୀ ସୁପ୍ରିମକୋର୍ଟ ରାୟର ଏକ କପି ଲୋକସଭା ସଚିବାଳୟରେ ଦାଖଲ କରିବା ସହ ଏ ବାବଦରେ ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି । କେନ୍ଦ୍ରକୁ ଟାର୍ଗେଟ୍ କରି ଚୌଧୁରୀ କହିଛନ୍ତି ଯେ ଯେଉଁ ବେଗରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା, ତାଙ୍କ ଲୋକସଭା ସଦସ୍ୟତା ଫେରାଇବାକୁ ମଧ୍ୟ ସେହିପରି ତତ୍ପରତା ପ୍ରକାଶ ପାଉ।

ଶନିବାର ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୌଧୁରୀ କହିଛନ୍ତି, “ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ଏବେ ତାଙ୍କୁ ସଂସଦର ଅଧିବେଶନରେ ଭାଗ ନେବାକୁ ଅନୁମତି ଦିଆଯିବା ଉଚିତ। ଲୋକସଭା ସଚିବାଳୟ ଏନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ”

ଚୌଧୁରୀ କହିଛନ୍ତି ଯେ ଶୁକ୍ରବାର ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଏହି ପ୍ରସଙ୍ଗରେ ଫୋନରେ କଥା ହୋଇଥିଲେ । ବାଚସ୍ପତି କହିଥିଲେ ଯେ ସେ ଆସନ୍ତାକାଲି ଅର୍ଥାତ୍ ଶନିବାର ତାଙ୍କ ସହ କଥା ହେବେ। ମୁଁ ଆଜି ଲୋକସଭା ସଚିବାଳୟକୁ କଲ୍ କରିଥିଲି । କିନ୍ତୁ ସେମାନେ କହିଲେ ଆଜି ଅଫିସ୍ ଛୁଟି।

ଚୌଧୁରୀ କହିଛନ୍ତି, “ଯେତେବେଳେ ମୁଁ ପଚାରିଲି ଚିଠି ଦାଖଲ କରିବାର ଅନ୍ୟ ମାଧ୍ଯମ କ’ଣ, ସେମାନେ କହିଥିଲେ ଯେ ଏହା ପୋଷ୍ଟ ମାଧ୍ୟମରେ ପଠାଯାଇପାରିବ। ମୁଁ ଏହାକୁ ପୋଷ୍ଟ ମାଧ୍ୟମରେ ପଠାଇଥିଲି ଏବଂ ଚିଠିଟି ଗ୍ହୋରହଣ କରାଯାଇଥିଲା । ଏଥିରେ ପ୍ରାପ୍ତକଙ୍କ ଦସ୍ତଖତ ମଧ୍ୟ ଥିଲା, କିନ୍ତୁ ସେ ଷ୍ଟାମ୍ପ୍ ମାରିନଥିଲେ।”

Comments are closed.