ଜୁନ, ଜୁଲାଇର ନିଅଣ୍ଟିଆ ବର୍ଷା ଭରଣା କଲା ଅଗଷ୍ଟର ଅବପାତ

ଭୁବନେଶ୍ବର – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଡେରିରେ ଏ ବର୍ଷ ଓଡ଼ିଶା ଆସିଥିଲା । ଜୁନ ଓ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଜୁନରେ ୩୫ ପ୍ରତିଶତ ନିଅଣ୍ଟ ବର୍ଷା ହୋଇଥିଲା ବେଳେ ଜୁଲାଇରେ ବର୍ଷାର ପରିମାଣ ୧୨ ପ୍ରତିଶତ ନିଅଣ୍ଟ ଥିଲା। ହେଲେ ଜୁଲାଇ ୨୯ ତାରିଖର ଲଘୁଚାପ ଓ ପରେ ଅବପାତ ଜନିତ ବର୍ଷା ଯୋଗୁଁ ସ୍ଥିତି ବଦଳିଛି । ଗତଦିନରେ ଲଗାଣ ବର୍ଷା ନିଅଣ୍ଟିଆ ସ୍ଥିତିକୁ ଭରଣା କରିଛି । ଆହୁରି ୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇସାରିଲାଣି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଜୁନ୍‌ ୧ରୁ ଅଗଷ୍ଟ ୫ ମଧ୍ୟରେ ରାଜ୍ୟରେ ୬୩୪.୪ ମିମି ବର୍ଷା ହୋଇଛି, ଯାହାକି ଏହି ସମୟରେ ହେବାକୁ ଥିବା ବର୍ଷା ୬୧୫.୬ ମିମି ତୁଳନାରେ ୩ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିମି ବର୍ଷା ହୋଇଛି, ଯାହା କି ସ୍ବାଭାବିକଠାରୁ ୬୫ ପ୍ରତିଶତ ଅଧିକ।

ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଯାଇଛି। ତେବେ, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି। ବାକି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଯାଇଛି।

Comments are closed.