ମଣିପୁରର ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପାର୍ଟି

ଇମ୍ଫାଲ : ହିଂସା ମଧ୍ୟରେ ମଣିପୁରର ବିଜେପି ନେତୃତ୍ବାଧୀନ ସରକାରରୁ କୁକି ପିପୁଲ୍ସ ଆଲାଇନ୍ସ ସମର୍ଥନ ପ୍ରତ୍ୟାହାର କରିନେଇଛି।

କୁକି ପିପୁଲ୍ସ ଆଲାଇନ୍ସ (କେପିଏ) ର ଦୁଇଜଣ ବିଧାୟକ ଅଛନ୍ତି। ରବିବାର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଚିଠିରେ ଦଳ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି। କେପିଏ ମୁଖ୍ୟ ଟୋଙ୍ଗମାଙ୍ଗ ହାଓକିପ ଚିଠିରେ କହିଛନ୍ତି ଯେ ସାମ୍ପ୍ରତିକ ସ୍ଥିତି ଉପରେ ଗଭୀର ବିଚାର କରିବା ପରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ନେତୃତ୍ବବାଧୀନ ସରକାରକୁ ବର୍ତ୍ତମାନ ସମର୍ଥନ ଜାରି ରଖିବାର କୌଣସି ମାନେ ନାହିଁ।

୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ କୁକି ପିପୁଲ୍ସ ଆଲାଇନ୍ସର ଦୁଇଜଣ ବିଧାୟକ ଅଛନ୍ତି । ମଣିପୁର ବିଧାନସଭାରେ କୁକି-ଜୋମି ସମ୍ପ୍ରଦାୟର ୧୦ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ବିଜେପିର, ଦୁଇଜଣ କୁକି ପିପୁଲ୍ସ ଆଲାଇନ୍ସର ଏବଂ ଜଣେ ସ୍ୱାଧୀନ।

ତେବେ କେପିଏର ସମର୍ଥନ ପ୍ରତ୍ୟାହାର ପରେ ଏନ୍ ବିରେନ ସିଂ ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ। ବିଜେପିର ସର୍ବାଧିକ ୩୭ଟି ଆସନ ରହିଛି। ଏହାଛଡ଼ା ବିଜେପି ନେତୃତ୍ବାଧୀନ ମେଣ୍ଟକୁ ପାଞ୍ଚ ଏନପିଏଫ, ୭ ଜଣ ଏନପିପି ବିଧାୟକ ଏବଂ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ମଣିପୁରରେ ବିରୋଧୀଙ୍କ ମଧ୍ୟରେ କଂଗ୍ରେସରେ ପାଞ୍ଚଟି ଆସନ ଏବଂ ଜେଡିୟୁରେ ଗୋଟିଏ ଆସନ ରହିଛି।

ମଣିପୁରରେ ମେ ୩ରେ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୈତେଇ ସମ୍ପ୍ରଦାୟର ଦାବିକୁ ବିରୋଧ କରି ଆଦିବାସୀ ଏକତା ପଦଯାତ୍ରା ସମୟରେ ହିଂସା ଆରମ୍ଭ ହୋଇଥିଲା। ଗତ ତିନିମାସ ମଧ୍ୟରେ ରାଜ୍ୟରେ ଜାତିଗତ ହିଂସାରେ ୧୬୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Comments are closed.