ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇବେ… ପ୍ରତ୍ୟହ ଏକାଧିକ ଓ୍ବାର୍ଡ ନିରୀକ୍ଷଣ କରିବେ ବିଇଏମ୍‌ସି କମିଶନର୍‌ 

ବ୍ରହ୍ମପୁର: ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇବେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ଦିନକୁ ଏକାଧିକ ଓ୍ବାର୍ଡ ବୁଲି କ୍ଷେତ୍ରସ୍ତରରେ କଣ କାର୍ଯ୍ୟ ହେଉଛି, କାର୍ଯ୍ୟର ଅଗ୍ରଗତି କିଭଳି ଚାଲିଛି, ନିର୍ଦ୍ଧାରିତ ସମୟରେ କିଭଳି କାର୍ଯ୍ୟ ସରିବ ତାହା ତଦାରଖ କରିବେ। ଏଥିରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ସମ୍ପୃକ୍ତ ଯନ୍ତ୍ରୀ ଦଣ୍ତିତ ହେବେ। ୱାର୍ଡ ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ। ଏଭଳି କିଛି କଡ଼ା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ। ନିକଟରେ ଅନୁଷ୍ଠିତ ବିଇଏମ୍‌ସି ସ୍ଵତନ୍ତ୍ର କାଉନସିଲ୍‌ ବୈଠକରେ ଏ ବାବଦରେ ସୂଚନା ଦେଇଥିଲେ ବିଇଏମ୍‌ସି କମିଶନର୍‌ ଜେ.ସୋନାଲ୍‌। ସୋମବାରରୁ ସେ ସହଯୋଗୀଙ୍କ ସହ ମିଶି ଓ୍ବାର୍ଡକୁ ଓ୍ବାର୍ଡ ବୁଲି ଗ୍ରାଉଣ୍ଡ୍ ଜିରୋ ସ୍ଥିତି ଅନୁଧ୍ୟାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

 

ଉନ୍ନୟନମୂଳକ କାର୍ଯ୍ୟରେ ବିଳମ୍ବକୁ ବରଦାସ୍ତ କରାଯିବନି। ନଭେମ୍ବର ଭିତରେ ନିର୍ମାଣାଧୀନ ସମସ୍ତ କାମ ସାରିବାକୁ ଟାର୍ଗେଟ୍‌ ରହିଛି। ଶହେ ଦିନ ଭିତରେ କାମ ନସରିଲେ କନିଷ୍ଠ ଯନ୍ତ୍ରୀ ଓ ସାନିଟାରି ଇନିସପେକ୍ଟର୍‌ ବିଦା ହେବେ ବୋଲି ଚେତାଇ ଦେଇଛନ୍ତି ବିଇଏମ୍‌ସି କମିଶନର୍‌। ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ସ୍ବତନ୍ତ୍ର ଭିଜିଟ୍‌ ସିଡ୍ୟୁଲ୍‌ ପ୍ରସ୍ତୁତ କରାଯାଇଛି। ଗୋଟିଏ ଦିନରେ ଚାରୋଟି ଲେଖାଏଁ ଓ୍ବାର୍ଡ ବୁଲି ଉନ୍ନୟନ କାମ, ପରିମଳ, ଜବରଦଖଲ ଏବଂ ପ୍ରସ୍ତାବିତ କାମ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୭ରୁ ୧୧ ତାରିଖ ମଧ୍ୟରେ ୨୦ଟି ଓ୍ବାର୍ଡ ବୁଲିବାକୁ ସ୍ଥିର କରିଛନ୍ତି ବିଇଏମ୍‌ସି କମିଶନର୍‌ ଓ ତାଙ୍କ ଟିମ୍‌। କମିଶନରଙ୍କ ସହ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ, ଡେପୁଟି କମିଶନର (ସାନିଟେସନ୍‌ ), ଡେପୁଟି କମିଶନର (ଅଭିଯୋଗ), ଏନ୍‌ଫୋର୍ସ ମେଣ୍ଟ ଅଫିସର୍‌ ରହିବେ।

ଆଗକୁ ସ୍ବାୟତ୍ତ ଶାସନ ଦିବସ ଥିବାରୁ ସେତେବେଳେ ସୁଦ୍ଧା ମହାନଗରର କେଉଁ ଓ୍ବାର୍ଡରେ ଆଉ କଣ କାମ କରାଯିବା ଆବଶ୍ୟକ ତାହାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଜଣାଯାଇଛି। ପ୍ରକାଶଥାଉ କି ଚଳିତ ମାସ ଶେଷ ବେଳକୁ ଏକାଧିକ ବରିଷ୍ଠ ସଚିବ ବ୍ରହ୍ମପୁର ମହାନଗର ପରିଦର୍ଶନରେ ଆସିବା କାର୍ଯ୍ୟକ୍ରମ ରହିଛି। ତା ପୂର୍ବରୁ ବିଇଏମ୍‌ସିର ପ୍ରକଳ୍ପ ଅନୁଧ୍ୟାନ ପାଇଁ କମିଶନର୍ ଯୋଜନା କରିଛନ୍ତି। ଏ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ତୁହାକୁ ତୁହା ସମୀକ୍ଷା ବୈଠକ କରି ଓ ବିଭିନ୍ନ ନିର୍ମାଣ ସ୍ଥଳକୁ ଯାଇ କାମ ନିର୍ଦ୍ଧାରିତ ସମୟ ସୁଦ୍ଧା ସାରିବାକୁ ତାଗିଦ୍‌ କରୁଛନ୍ତି।

Comments are closed.