ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ -ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଜଷ୍ଟିସ ତାଳପତ୍ରଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ଜଷ୍ଟିସ୍ ଏସ.ମୁରଲୀଧରଙ୍କ ସ୍ଥାନ ନେଇଥିବା ଜଷ୍ଟିସ ତାଳପତ୍ର ହେଉଛନ୍ତି ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି। ଜଷ୍ଟିସ ତାଳପତ୍ର ୨୦୨୨ ଜୁନ ୧୦ ତାରିଖରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ତାଳପତ୍ରଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଗତମାସ ୧୯ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତାଳପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଜଷ୍ଟିସ ଶୁଭାଶିଷ ତାଳପତ୍ର ୨୦୧୧ ନଭେମ୍ବର ୧୫ତାରିଖରେ ଗୁଆହାଟୀ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୧୩ରେ ନିଜ ଗୃହ ରାଜ୍ୟ ତ୍ରିପୁରାରେ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପନ ହେବା ପରେ ସେଠାରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ଜଷ୍ଟିସ ତାଳପତ୍ର। ସେଠାରୁ ବଦଳି ପରେ ସେ ୨୦୨୨ ଜୁନ୍ ୧୦ତାରିଖରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

Comments are closed.