ଗୋକର୍ଣ୍ଣପୁର ସମିତିସଭ୍ୟ ଉପନିର୍ବାଚନ: ପ୍ରଚାର ଶେଷ, ପୁଲିସ ଫ୍ଲାଗମାର୍ଚ୍ଚ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ବ୍ଲକ୍ ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତରେ ସମିତି ସଭ୍ୟ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ପ୍ରତିଦ୍ବନ୍ଦ୍ବିତା କରୁଥିବା ୪ ଜଣ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ଗାଁ ଦାଣ୍ଡର ପରିବେଶ କମ୍ପି ଉଠିଥିଲା। ତେଣେ ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଏକ ସମ୍ବେଦନଶୀଳ ସ୍ଥାନ ଭାବେ ପରିଚିତ ଏହି ଅଞ୍ଚଳରେ ଲୋକଙ୍କ ମନରୁ ଭୟ ଦୂର କରିବାକୁ ତଥା ଭୋଟଦାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା।

କୃଷ୍ଣ ଚନ୍ଦ୍ର ସେଠୀ, ଅସିତ‌ କୁମାର ସାହୁ, ବାଇନାଥ ଦୋରା ଓ ରାମହରି ଦୋରାଙ୍କ ଅଲଗା ଅଲଗା ଶୋଭାଯାତ୍ରାରେ ଶହ ଶହ ପୁରୁଷ ମହିଳା ଓ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ। ଗୋଟିଏ ଦିନରେ ଚାରି ପ୍ରାର୍ଥୀଙ୍କ ଶୋଭାଯାତ୍ରା ହେତୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ମୁତୟନ ହୋଇଥିଲା। ତେବେ ପ୍ରଚାର କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସରିଥବା ଓ କୌଣସି ବିଶୃଙ୍ଖଳା ହୋଇ ନଥିବା ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି। ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ବିଭିନ୍ନ ଗ୍ରାମରେ ଫ୍ଲାଗ୍‌ମାର୍ଚ୍ଚ କରିଛି। ପଞ୍ଚାୟତକୁ ଚୋରାମଦ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ଗ୍ରାମରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଦେଶୀ, ବିଦେଶୀ ମଦ କାରବାର ଉପରେ ଚଢ଼ଉ କରି ବନ୍ଦ କରି ଦିଆଯାଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦୁଇ ପ୍ଲାଟୁନ ଫୋର୍ସ ପଇଁତରା ମାରୁଥବା ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି।

ଗୋକର୍ଣ୍ଣପୁର ପଞ୍ଚାୟତରେ ମତଦାନ ପାଇଁ ୨୦ଟି ବୁଥ୍ କରାଯାଇଛି। ଗୋକର୍ଣ୍ଣପୁର ଗ୍ରାମରେ ୮ଟି, ପୀତାମ୍ବରପୁର ଗ୍ରାମରେ ୨ଟି, ନରସିଂହପୁର ଗ୍ରାମରେ ୩ଟି, ଅନଙ୍ଗପୁର ଗ୍ରାମରେ ୩ଟି, ବିଜୟପଦ୍ମନାଭପୁର ଗାମରେ ୩ଟି, ଦକ୍ଷିଣପୁର ଗ୍ରାମରେ ଗୋଟିଏ ମତଦାନ କେନ୍ଦ୍ର ରହିଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି। ବୁଧବାର ହେବାକୁ ଥିବା ଉପନିର୍ବାଚନରେ ମୋଟ ୭୧୭୫ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

Comments are closed.