ବି.ଏଡ଼ ନାମ ଲେଖାଇବା ପ୍ରତିଶ୍ରୁତି, ୨୨୮ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗ

ବରଗଡ଼: ବି.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇ ଦେବା ପ୍ରତିଶ୍ରୁତି ଦେଇ ୨୨୮ ଜଣଙ୍କ ଠାରୁ ପ୍ରାୟ ୮୦ ଲକ୍ଷ ଟଙ୍କା ଠକେଇ ସହ ପ୍ରମାଣପତ୍ର ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବି ଜଣାଇ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ମଙ୍ଗଳବାର ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଥିଲେ । ବଲାଙ୍ଗିର ଜିଲ୍ଲା ରାଜ୍-ଆଗଲପୁର ବ୍ଲକ ଅନ୍ତର୍ଗତ ନଗରାଜ ଗ୍ରାମର ସମ୍ପୃକ୍ତ ବ୍ୟକ୍ତି ଶ୍ୟାମନ୍ତ ଭୋଇ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟ ଏବଂ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଅଧୀନରେ ନାମ ଲେଖାଇଦେବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ବରଗଡ଼ , ସମ୍ବଲପୁର , ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୨୮ ଜଣ ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍ କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରତ୍ୟେକଙ୍କ ଠାରୁ ୩୫,୦୦୦ ଟଙ୍କା ଏବଂ ସିଏଲ୍‌ , ମାଇଗ୍ରେସନ୍ , ଅରିଜିନାଲ ସାର୍ଟିଫିକେଟ ନେଇଯାଇଥିଲା । ୨୦୨୨ – ୨୪ ଶିକ୍ଷା ବର୍ଷ ସକାଶେ ନାମଲେଖାଇବା ପ୍ରତିଶ୍ରୁତି ଦେଇ ଉକ୍ତ ବ୍ୟକ୍ତି ଆନ୍ଧ୍ରକୁ ଯିବା ପାଇଁ ଗତ ଜୁଲାଇ ୧୬ ତାରିଖରେ ରେଲେୱେ ଷ୍ଟେସନରେ ସମବେତ ହୋଇ ଯାତ୍ରା କରିବାକୁ କହିଥିଲା । ମାତ୍ର ରେଲ୍‌ୱେ ଷ୍ଟେସନକୁ ସମସ୍ତ ଛାତ୍ରଛାତ୍ରୀ ଯାଇଥିବା ବେଳେ ସେଠାରେ କାହାରି ଦେଖା ମିଳି ନଥିଲା । ଯାହାକୁ ନେଇ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଗତ ଜୁଲାଇ ୧୮ ତାରିଖରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ନଗରାଜ ଗ୍ରାମରେ ଚଢ଼ଉ କରିଥିବା ବେଳେ ସମ୍ପୃକ୍ତି ଠକ ଫେରାର ଥିବା ଏବଂ ତାର ବାସଭବନରୁ ୫୫ ଜଣ ଛାତ୍ରଛାତ୍ରୀଙ୍କ କାଗଜାତ୍ ଜବତ୍ ହୋଇଥିବା ସୂଚନା ମିଳିଛି । ତୁରନ୍ତ ଉକ୍ତ ଠକକୁ ଗିରଫ କରାଯିବା ଦାବି ନେଇ ମଙ୍ଗଳବାର ଛାତ୍ରଛାତ୍ରୀମାନେ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ ମହାନ୍ତିଙ୍କ ସହ ଆଲୋଚନା କିରଥିଲେ । ସମ୍ପୃକ୍ତ ଠିକ ଶ୍ୟାମନ୍ତ ଭୋଇକୁ ତୁରନ୍ତ ଗିରଫ କରାଯିବା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ଠକେଇ ହୋଇଥିବା ଟଙ୍କା ଓ ପ୍ରମାଣପତ୍ର ଫେରସ୍ତ କରାଯିବାକୁ ଦାବି ଜଣାଇଥିଲେ ।

Comments are closed.