ସମ୍ବଲପୁରରେ ମାତୃ ସମୃଦ୍ଧି ଯୋଜନାର ଶୁଭାରମ୍ଭ

ସମ୍ବଲପୁର: ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ପାଇଁ ପ୍ରଥମ କରି ମାତୃ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରାଯାଇଛି। ଏମସିଏଲ୍ ସହାୟତାରେ ଜିଲ୍ଲାପାଳ ଅନନ୍ୟା ଦାସ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦ ଭୂଷଣ, ଆଏଏସ ପ୍ରୋବେସନାରୀ ସ୍ନେହା ଅରୁଗୁଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପୂର୍ଣ୍ଣ ଚନ୍ଦ୍ର ସାହୁ, ଡିପିଏଚଓ ଡ଼. ଅଶୋକ ଦାସ, ଡିପିଏମ ଏନଏଚଏମ ଡ଼. ମୌସୁମୀ ମିଶ୍ର, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୋଜନା ଦ୍ୱାରା ଗର୍ଭବତୀଙ୍କ ମୃତ୍ୟୁ, ଶିଶୁ ମୃତ୍ୟୁ ଏବଂ କମ ଓଜନ ଶିଶୁ ଜନ୍ମ ରୋକାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ମାସ ନଅ ତାରିଖ ଦିନ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କଲାପରେ ସଂକଟାପୂର୍ଣ୍ଣ ମହିଳାଙ୍କ ସ୍ଥିତି ଅନୁଧ୍ୟାନ କରି ଚିକିତ୍ସା ସୁବିଧା ଯୋଗେଇଦେବା ସହିତ ଖାଦ୍ୟପେୟ ପ୍ରସ୍ତୁତି ଓ ଅନ୍ୟାନ୍ୟ ବିଷୟ ପ୍ରତି ସଚେତନ କରାଯିବ। କାର୍ଯ୍ୟକ୍ରମ ରେ ଗର୍ଭବତୀ ମହିଳାଙ୍କୁ କୀଟ ପ୍ରଦାନ କରଯାଇଛି ଯେଉଁଥିରେ କୀ ପୁଷ୍ଟିକର ଖାଦ୍ୟ, ଆବଶ୍ୟକ ସାମଗ୍ରୀ ସହ ଗର୍ଭବତୀଙ୍କ ସମ୍ପର୍କିତ ସମସ୍ତ ସୂଚନା ରହିଛି। ହାଇରିସ୍କ ମୋବାଇଲ ଆପ ମାଧ୍ୟମରେ ଜଟିଳ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ସହିତ ସ୍ୱାସ୍ଥ୍ୟସେବା ଯୋଗେଇ ଦିଆଯିବ। ଏହା ସହିତ କାର୍ଯ୍ୟକ୍ରମରେ ମହିଳା ସ୍ୱଂୟ ସହାୟକ ଗୋଷ୍ଟି ଦ୍ୱାରା ପ୍ରସ୍ତୁତ ଗର୍ଭବତୀ ମହିଳାଙ୍କ ପୋଷଣ ଯୁକ୍ତ ଭଳିକି ଭଳି ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବା ସହ ଦସ୍ତଖତ ଅଭିଯାନ ମଧ୍ୟ ରହିଥିଲା।

Comments are closed.