ବ୍ରହ୍ମପୁର ପୋଲିସ କବ୍‌ଜାରେ ବାଇକ୍‌ ଓ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୋଲିସ ଏକ ବାଇକ୍‌ ଓ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୩ଟି ଚୋରା ମୋଟରସାଇକେଲ୍‌ ଓ ୫୭ଟି ମୋବାଇଲ୍‌ ଜବତ କରିଛି ପୋଲିସ। ଶୁକ୍ରବାର ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ବିସ୍ତୃତ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ନେତୃତ୍ବରେ ପୋଲିସ ଟିମ୍‌ ଏଭଳି ସଫଳତା ହାସଲ କରିପାରିଛି। ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁରର ଏଲ୍‌.ଶିବା ରେଡ୍ଡୀ (୨୬), ଗଞ୍ଜାମ ଥାନା ଆଲିଆବାଦର ଉପେନ୍ଦ୍ର ନାୟକ (୨୬), ବ୍ରହ୍ମପୁର ବଡ଼ବଜାର ଥାନା ଅମ୍ବିକାନଗରର ଶ୍ରୀକାନ୍ତ ପାଢ଼ୀ (୩୦), ହିଞ୍ଜଳିକାଟୁ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳକ ଚନ୍ଦନ, କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଇଲାକାର ଜଣେ ୧୭ ବର୍ଷୀୟ ନାବାଳକ ଆକାଶକୁ କାବୁ କରିଛି ପୋଲିସ। ଏହି ଯୁବକ ତଥା ନାବାଳକମାନେ କମ୍‌ ପରିଶ୍ରମରେ ତ୍ଵରିତ୍ ଉପାର୍ଜନ କରିବା ଲକ୍ଷ୍ୟରେ ଏଭଳି ଚୋରି ପନ୍ଥା ଆପଣାଇ ନେଇଥିଲେ। ସହରର ବିଭିନ୍ନ ଗଳି କନ୍ଦି ବୁଲି ଘରକୁ ଟାର୍ଗେଟ୍‌ କରି ରାତି ଅଧରେ ପଶି ଅସୁରକ୍ଷିତ ଅବସ୍ଥାରେ ବା ଖୋଲା କ୍ୟାମ୍ପସ୍‌ରେ ରହୁଥିବା ବାଇକ୍‌ ଚୋରି କରୁଥିଲେ। ଏମାନଙ୍କ ଟାର୍ଗେଟ୍‌ରେ ଥିଲା ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍‌। ରୋଗୀ ବା ସମ୍ପର୍କୀୟ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ବା ଔଷଧ ଆଣିବା କିମ୍ବା କୌଣସି ପରୀକ୍ଷା ପାଇଁ ଯାଇଥିବା ବେଳେ ଏମାନେ ସର୍ବସାଧାରଣଙ୍କ ମଧ୍ୟରେ ପଶି କୌଶଳକ୍ରମେ ମୋବାଇଲ୍‌ ଲୁଟି ନେଉଥିଲେ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରିଛି ପୋଲିସ।

ବ୍ରହ୍ମପୁର ପୋଲିସ ଲୋକଙ୍କୁ ଅନୁରୋଧ କରିଛି ଯେ ଯେଉଁମାନଙ୍କ ବାଇକ୍‌ କିମ୍ବା ମୋବାଇଲ୍‌ ଏମ୍‌କେସିଜି ମେଡିକାଲ କ୍ୟାମ୍ପସ୍‌ ବା ସହରର କୌଣସି ସ୍ଥାନରୁ ଚୋରି ହୋଇ ଯାଇଥିଲା ସେମାନେ ବୈଦ୍ୟନାଥପୁର ଥାନା ପୋଲିସ ସହ ଯୋଗାଯୋଗ କରନ୍ତୁ। ସମସ୍ତ ତଥ୍ୟ ପ୍ରମାଣ ଦେଖାଇ ନିଜ ଚୋରି ମୋବାଇଲ୍‌ ଓ ମୋଟରସାଇକେଲ୍‌ ଫେରସ୍ତ ପାଆନ୍ତୁ। ପୋଲିସ ତ୍ଵରିତ୍ ପଦକ୍ଷେପ ଗ୍ରହଣ କରି ଚୋରି ବାଇକ୍‌ ଓ ମୋବାଇଲ୍‌ ଉଦ୍ଧାର କରିଥିବା ବେଳେ ଲୋକେ ଏବେ ସେମାନଙ୍କ ଜିନିଷ ଫେରିପାଇବା ନେଇ ଆଶା ଉଦଜୀବିତ ହୋଇଛି।

Comments are closed.