ଆଜି ଶ୍ରୀପୁରୁଷୋତ୍ତମ ଏକାଦଶୀ, ଏହି ତିଥିରେ ଉପବାସ କରୁଥିବା ବ୍ରତଧାରୀ ଙ୍କୁ ଭଗବାନ ଶ୍ରୀକୃଷ୍ଣ ‘ମମ ବନ୍ଦନୀୟ’ ବୋଲି କହିଛନ୍ତି

ଭଗବାନ ବିଷ୍ଣୁ ‘ମଳମାସ’କୁ ନିଜର ନାଆଁ ଦେଇ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ କରିଛନ୍ତି। ସେହି ଅନୁସାରେ, ମଳମାସର ଏକାଦଶୀ ମଧ୍ୟ ‘ପୁରୁଷୋତ୍ତମ ଏକାଦଶୀ’ ଭାବରେ ପରିଚିତ ହୋଇଛି। ଏହି ଅନୁସାରେ ଚଳିତ ଶ୍ରାବଣ ମାସ ଶୁକ୍ଳ ଏକାଦଶୀ ଓ ଶ୍ରାବଣ ମାସ କୃଷ୍ଣ ଏକାଦଶୀର ନାମ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି।

ଆମ ଶାସ୍ତ୍ର ଆଧାରରେ ଏକାଦଶୀ ହେଉଛି ଭଗବାନ ବିଷ୍ଣୁଙ୍କ ହୃଦୟ। ପ୍ରତିମାସରେ କୃଷ୍ଣ ଓ ଶୁକ୍ଳ ଏକାଦଶୀ ଭାବରେ ଏହା ଦୁଇଥର ପାଳିତ ହୋଇଥାଏ। ଏଣୁ ସାରାବର୍ଷରେ ୨୪ଟି ଏକାଦଶୀ ତିଥି ପାଳିତ ହୁଏ। ଅନ୍ନଭୋଜନ ନକରି ଉପବାସ ରହି ଏହା ପାଳନ କରିବାର ବିଧି ରହିଛି।

“ଯେଉଁମାନେ ‘ମାସୋପବାସୀ’ ବା ଏହି ତିଥିରେ ଉପବାସ କରି ହରିସ୍ମରଣ କରନ୍ତି,ସେମାନେ ‘ମମ ବନ୍ଦନୀୟ’ ବା ‘ମୋର ପ୍ରିୟ’ ବୋଲି ଭଗବାନ ଶ୍ରୀକୃଷ୍ଣ ସ୍ୱ ମୁଖରେ କହିଛନ୍ତି।ସାରା ବର୍ଷରେ ପାଳିତ ହେଉଥିବା ଏହି ୨୪ଟିଯାକ ଏକାଦଶୀର ନାମ ଭିନ୍ନ ଭିନ୍ନ ଅଟେ।

ପୁରାଣ ଅନୁସାରେ, ଭଗବାନ ବିଷ୍ଣୁ ମଳମାସକୁ ନିଜର ନାଆଁ ଦେଇ ତାହାକୁ ପବିତ୍ର କରିଥିବାରୁ, ମଳମାସର ଏହି ଦୁଇ ଏକାଦଶୀ ମଧ୍ୟ ଅନ୍ୟ ସବୁ ମାସର ଏକାଦଶୀ ପରି ପବିତ୍ର। ବରଂ ଏହି ଦୁଇ ଏକାଦଶୀ ‘ପୁରୁଷୋତ୍ତମ ଏକାଦଶୀ’ ଭାବରେ ଅଧିକ ପବିତ୍ର ଓ ପୁଣ୍ୟପ୍ରଦ। ଯେଉଁମାନେ ଏହି ପବିତ୍ର ବ୍ରତକୁ ଵିଶ୍ଵାସ ର ସହିତ ନିଷ୍ଠାବାନ ହୋଇ ଶାସ୍ତ୍ରୀୟ ବିଧିରେ ପାଳନ କରିବେ, ସେହି ସଜ୍ଜନ ଭଗବାନ ବିଷ୍ଣୁ ଙ୍କ ବନ୍ଦନୀୟ ହେବା ସହ ଏ ଜଗତର ପୁଣ୍ୟମୟ ବ୍ୟକ୍ତି ହିସାବରେ ପରିଗଣିତ ହେବେ। ଦେହାନ୍ତରେ ଵିଷ୍ଣୁଲୋକ ଗମନ କରିବେ।

Comments are closed.