ରାସ୍ତାକୁ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମ୍‌ସି, ଗୋରୁ ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ସହରକୁ ସୁରକ୍ଷିତ , ସ୍ଵଚ୍ଛ ଏବଂ ସୌନ୍ଦ ର୍ଯ୍ୟମୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଶେଷ କରି ସହରର ଟ୍ରାଫିକ ସମସ୍ୟାକୁ ସଜାଢିବା ପାଇଁ ଏବଂ ଗାଈଗୋରୁଙ୍କ ଅବାଧ ବିଚରଣଙ୍କୁ ରୋକିବା ପାଇଁ ବିଭିନ୍ନ ବୈଠକରେ ଜନ ଅସନ୍ତୋଷ ଓ ଅଭିଯୋଗକୁ ସମ୍ମାନ ଦେଇ ବିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ବ ଦେଇଛନ୍ତି । ଏନେଇ ଆଜି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଦୃଢ ନିଷ୍ପତ୍ତି ନିଆଯାଇଛି । କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା ରାସ୍ତାରେ ନିଜର ଗାଈଗୋରୁଙ୍କୁ ଛାଡି ପାରିବେ ନାହିଁ । ଏହା ନାଗରିକଙ୍କ ଚଳପ୍ରଚଳ , ଯାନବାହାନ ଯାତୟାତରେ ବାଧା , ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଯାହା ସହରର ମାନଦଣ୍ଡକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଜନହିତ ଦୃଷ୍ଟିରୁ ଏହାକୁ କଡାକଡି ପାଳନ କରିବା ପାଇଁ ଆଲୋଚନା ହୋଇଛି । ଦେଖାଯାଉଛି କି ରାସ୍ତାରେ ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ । ଲାଭଦାୟକ ହେଉନଥିବାରୁ ଏହିଭଳି ଗାଈଗୋରୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ମାଲିକମାନେ ଛାଡିଦେଇଛନ୍ତି । ଯାହା ଅନ୍ୟକ୍ଷରେ ନାଗରିକଙ୍କୁ ସମସ୍ୟାରେ ପକାଇଛି । ଯଦି କୌଣସି ବ୍ୟକ୍ତି ରାସ୍ତାରୁ ଧରାଯାଇଥିବା ଗାଈଗୋରୁଙ୍କୁ ନେବାକୁ କୁହନ୍ତି , ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଏପରିକି ତାଙ୍କର ନିଜସ୍ବ ଗୁହାଳ ଅଛିକି ନାହିଁ ତାହା ମଧ୍ୟ ବିଚାର କରାଯାଇ ପଦକ୍ଷେପ ନିଆଯିବ । ଏହା ସାଙ୍ଗକୁ ଉଠାଇ ନିଆଯାଇଥିବା ଗାଈଗୋରୁଙ୍କୁ ବିଭିନ୍ନ ଗୋଶାଳାରେ ରଖାଯିବ । ଏହି ଉଦ୍ଦେଶ୍ୟରେ ଆଜି ବ୍ରହ୍ମଗିରି , ଜଟଣୀ , ବେଗୁନିଆ ଇତ୍ୟାଦି ଗୋଶାଳାର କର୍ମକର୍ତ୍ତାଙ୍କୁ ଏହି ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ କି ଅତିତରେ ବିଏମ୍‌ସି ଅଂଚଳରେ ପାଖାପାଖି ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଅଛନ୍ତି ବୋଲି ସର୍ଭେରୁ ଜଣାପଡିଥିଲା । ବେଆଇନ ଭାବେ ଗାଈଗୋରୁ ରଖିବା ଏବଂ ଏମାନଙ୍କୁ ବାହାରକୁ ଛାଡିଦେବାରେ ହେଉଥିବା ଅସୁବିଧାକୁ ଜନହିତ ଦୃଷ୍ଟିରୁ ଆଉ ସହ୍ୟ କରିହେଉ ନାହିଁ । ବୁଲା ଗାଈଗୋରୁଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ଦୁର୍ଘଟଣାରେ ଦୈନିକ ଏକାଧିକ ଗାଈଗୋରୁଙ୍କ ମୃତ୍ୟୁ ହେଉଛି । ପ୍ରତ୍ୟେକ ଛକ ମୁଖ୍ୟତଃ ରାତିରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ସାଧାରଣଲୋକେ ବିଏମ୍‌ସି ନିକଟରେ ଅଭିଯୋଗ କରୁଛନ୍ତି । ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦ କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ଛାଡି ଦେଇଛନ୍ତି । ବିଏମ୍‌ସି ଅଂଚଳରେ ଯେଉଁମାନେ ଗାଈ କିମ୍ବା ବଳଦ ରଖିବେ , ଅନ୍ୟପକ୍ଷରେ ସେମାନଙ୍କର ନିଜସ୍ବ ଗୁହାଳ ରହିଥିବା ଦରକାର । ସେମାନେ ଯେଉଁମାନେ ସର୍ବସାଧାରଣସ୍ନାନ କିମ୍ବା ରାସ୍ତାକୁ ଗାଈଗୋରୁଙ୍କୁ ଛାଡିବେ , ସେମାନଙ୍କର ଗାଈଗୋରୁଙ୍କୁ ବିଏମ୍‌ସି ଉଠାଇ ନେବା ସହ ମାଲିଙ୍କ ବିରୋଧରେ ମ୍ୟୁନିସପାଲ କର୍ପୋରେସନ ଆଇନ ୨୦୦୩ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍‌ସିକୁ ସହ ଯୋଗର ହାତ ବଢାଇଛନ୍ତି । କେଉଁ ଗୋଶାଳାର କ୍ଷମତା କେତେ ତାର ଏକ ତାଲିକା ମଧ୍ୟ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯିବ । ଏହି ବୈଠକରେ କମିଶନରଙ୍କ ସହ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମରୟର ବିକାଶ ଓ ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ଓ ବିଭିନ୍ନ ଗୋଶାଳାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Comments are closed.