ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ରାଜ୍ୟର ଦୁଇଟି ବୃହତ୍ ବନଖଣ୍ଡ ଯାହା ଏବେ ହାତୀମାନଙ୍କ ପାଇ ଏକ ପ୍ରମୁଖ ଓ ଅପେକ୍ଷାକୃତ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ଅନୁକୂଳ ପରିବେଶ ଯଥା ଘଞ୍ଚ ଜଙ୍ଗଲ, ଯଥେଷ୍ଟ ଖାଦ୍ୟ ଉପଲବ୍ଧ ରହିବା ସହ ପ୍ରାକୃତିକ ଓ ଖାସ୍ ବନ୍ୟଜୀବଙ୍କ ପାଇ ବନ ବିଭାଗ ଦ୍ଵାରା ଜଙ୍ଗଲ ମଧ୍ୟରେ ଠାଏଁ ଠାଏଁ ଖୋଳାଯାଇଥିବା ଜଳାଶୟ ହେତୁ ହାତୀମାନଙ୍କ ଅନେକ ଚାହିଦା ପୂରଣ ହୋଇପାରୁଛି। ତେଣୁ ସେମାନେ ଏଠାରେ ସ୍ଥାୟୀ ଭାବେ ରହି ଆସୁଛନ୍ତି। ଯଦିଓ ଅନ୍ୟ ସ୍ଥାନ ପରି ଏଠି ମଧ୍ୟ ମଝିରେ ମଝିରେ ଖାଦ୍ୟ ଓ ବସତି ପାଇଁ ମଣିଷ- ହାତୀ ଲଢ଼େଇ ଖବର ଆସୁଛି ଓ କେତେବେଳେ ହାତୀ ତ କେତେବେଳେ ଲୋକଙ୍କ ଜୀବନ ଯାଉଛି, ତଥାପି ସାମଗ୍ରୀକ ଭାବେ ଗଜରାଜଙ୍କ ପାଇଁ ଘୁମୁସରର ଉଭୟ ବନଖଣ୍ଡ ଏକରକମ ସୁରକ୍ଷିତ ବାସସ୍ଥଳୀ ପାଲଟିଛି। ଏହାକୁ ହସ୍ତୀମାନଙ୍କ ପାଇଁ ଏକରକମ ଅଭୟାରଣ୍ୟ କୁହାଯିବା ଆରମ୍ଭ ହେଲାଣି।
ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଓ ଘନ ଜନବସତି ସ୍ଥାପନ, ଦ୍ରୁତ ଓ ଅବାଧ ଜଙ୍ଗଲ କଟା ଯୋଗୁଁ ଗଜରାଜଙ୍କ ଆବାସସ୍ଥଳୀ ପ୍ରଭାବିତ ହେଉଛି, ହାତୀପଲ ଖାଦ୍ୟ ଓ ବାସସ୍ଥାନ ସଙ୍କଟର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ତାହାର ଏକରକମ ବ୍ୟତିକ୍ରମ ପାଲଟିଛି ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ। ଏଠାରେ ଏବେବି ପାହାଡ଼ ଓ ଜଙ୍ଗଲ ଯଥେଷ୍ଟ ମାତ୍ରାରେ ଥିବା ବେଳେ ଜନବସତି ଜଙ୍ଗଲ ନିକଟରେ ଗଢ଼ି ଉଠିନାହି । ଏଣୁ ହାତୀମାନଙ୍କ ଚଳପ୍ରଚଳରେ ମଧ୍ୟ ବିଶେଷ ସମସ୍ୟା ଉପୁଜେ ନାହିଁ।ଉତ୍ତର ଘୁମୁସର ବନଖଣ୍ଡରେ ୪୩ଟି ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୯ଟି ହାତୀ ରହିଥିବା ଏକ ସର୍ଭେରୁ ଜଣାପଡ଼ିଛି।
ଏଠାରୁ ହାତୀମାନେ ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାର ଜଙ୍ଗଲକୁ ଯାଉଥିଲେ ହେଁ କିଛି ସମୟ ପରେ ପୁଣି ଫେରି ଆସି ଘୁମୁସର ବନଖଣ୍ଡରେ ରହି ଆସୁଛନ୍ତି। ବ୍ୟାପକ ବାଉଁଶ ବଣ, ଗଛଲତା ଓ ଫଳ ଉପଲବ୍ଧ ରହୁଥିବାରୁ ଏହି ବନଖଣ୍ଡ ସେମାନଙ୍କ ପାଇଁ ବସତି ଦୃଷ୍ଟିରୁ ବେଶ୍ ସୁଗମ ହୋଇଛି। ଯଦିଓ ଏହି ଦୁଇ ବନଖଣ୍ଡରେ ଗତ ୧୦ ବର୍ଷରେ ବିଭିନ୍ନ କାରଣରୁ ୨୧ଟି ହାତୀଙ୍କ ଜୀବନ ଯାଇଛି ଏବଂ ଗତ ୮ ବର୍ଷ ମଧ୍ଯରେ ୭ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ତଥାପି ଏବେ ବି ହାତୀଙ୍କ ପାଇଁ ଏହି ଅଞ୍ଚଳ ଅନ୍ୟ ଇଲାକା ଅପେକ୍ଷା ଅଧିକ ନିରାପଦ ରହି ଆସିଛି। ଏହି ୨ ବନଖଣ୍ତରେ ହାତୀପଲ ଯେପରି ନିର୍ଭୟରେ ବିଚରଣ କରିପାରିବେ ସେଥିପାଇଁ ଏହି ଦୁଇ ଡିଭିଜନର ବନ କର୍ମଚାରୀ, ବନ ସୁରକ୍ଷା ସମିତି ଓ ଜଙ୍ଗଲାଞ୍ଚଳର ଗ୍ରାମବାସୀଙ୍କ ଭୂମିକା ଅତୁଳନୀୟ।ହାତୀମାନଙ୍କ ସୁରକ୍ଷା ପାଇ ନୂତନ କରିଡର୍ ନିର୍ମାଣ ନିମନ୍ତେ ବନ ଡିଭିଜନ୍ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଉତ୍ତର ଘୁମୁସର ଡିଏଫ୍ଓ ସୁଦର୍ଶନ ବେହେରା। ଏଭଳି ହେଲେ ହାତୀପଲ ଆଉ କନବସତିମୁହାଁ ହେବେ ନାହିଁ ଓ ବିଭିନ୍ନ ଅଘଟଣକୁ ରୋକି ହାତୀଙ୍କ ବଂଶବୃଦ୍ଧି ଘଟିପାରିବ।
Comments are closed.