ବାରାଣସୀରୁ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଲେ ପ୍ରିୟଙ୍କା ନିଶ୍ଚୟ ଜିତିବେ: ସଞ୍ଜୟ ରାଉତ

ମୁମ୍ବାଇ: ପ୍ରିୟଙ୍କା ଗାନ୍ଧୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଦିଆଯାଉ ବୋଲି କଂଗ୍ରେସରେ ଦାବି ହେଉଥିବା ବେଳେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ବଡ଼ ବୟାନ ଦେଇଛନ୍ତି ।‌ ରାଉତ କହିଛନ୍ତି ଯେ, ପ୍ରିୟଙ୍କା ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରୁ ଲଢ଼ିବା ଉଚିତ । ଯଦି ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ତେବେ ତାଙ୍କ ବିଜୟ ନିଶ୍ଚିତ। ଯଦି ପ୍ରିୟଙ୍କା ବାରାଣସୀରୁ ଲଢ଼ନ୍ତି, ତେବେ ମୋଦୀଙ୍କ ପକ୍ଷେ ଜିତିବା କଷ୍ଟକର ହେବ । ବାରାଣସୀ ଲୋକେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାଂସଦ ଭାବେ ଚାହୁଁଛନ୍ତି। ଏଥର ବିଜେପି ପାଇଁ ରାଏବରେଲି, ବାରାଣସୀ ଓ ଆମେଥି ଲଢ଼େଇ କଷ୍ଟକର ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି ।

ରାଉତ କହିଛନ୍ତି ଯେ ୨୦୨୪ରେ ରାହୁଲ ଗାନ୍ଧୀଙ୍କ ସହ ସାରା ଦେଶ ଛିଡ଼ା ହେବ। ଏଥିସହ ସେ ଆମେଥି, ବାରାଣାସୀ ଏବଂ ରାଏବରେଲି ଆସନରେ ବି କଂଗ୍ରେସର‌ ବିଜୟ ହେବ ବୋଲି ଦାବି କରିଛନ୍ତି। ସମ୍ପ୍ରତି ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀ, ଆମେଥୀରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଏବରେଲି ଆସନରୁ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ସାଂସଦ ଅଛନ୍ତି ।

Comments are closed.