ସବୁକ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ହୋଇଛି, ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ଅମର ଯବାନମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି।

ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମି ଆଦି ବିକାଶର ସବୁ କ୍ଷେତ୍ରରେ ୫-ଟି ନୀତିର ପ୍ରୟୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, ମଧ୍ୟବିତ୍ତ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ରାଜ୍ୟ ସରକାର ବ୍ୟାଙ୍କିଂ ଆଉଟଲେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରାଜ୍ୟର ସବୁ ପଞ୍ଚାୟତର ଲୋକ ମାନେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ , ଆମର ମା’ ମାନେ ଏବଂ ଦିବ୍ୟାଙ୍ଗ ଭାଇଭଉଣୀମାନେ ବେଶ୍ ଉପକୃତ ହେବେ।

ମଧୁବାବୁ ପେନ୍‌ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ ହିତାଧିକାରୀମାନେ ପେନ୍‌ସନ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ଯେ, ପ୍ରତି ଜୀବନ ମୂଲ୍ୟବାନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ଉତ୍ତମ ସ୍ବାସ୍ଥ୍ୟ ସେବା ନିଶ୍ଚିତ କରିଛି । ବିଏସକେୱଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ରୂପାନ୍ତର ଆଣିଥିବା ନବୀନ କହିଛନ୍ତି।

ନିଜ ଅଭିଭାଷଣରେ ମା’ମାନଙ୍କର ବିକାଶ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା’ ମାନେ ହେଉଛନ୍ତି – ବିକାଶର ଚେହେରା । ମିଶନ ଶକ୍ତି ଆଜି ମା’ ମାନଙ୍କ ରୂପାନ୍ତରଣର ଇଞ୍ଜିନ ହୋଇଛି। ସେମାନେ ଏବେ ବିକାଶର ଆଉ ଏକ ସ୍ତରରେ ପହଞ୍ଚିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି।

ସେ କହିଛନ୍ତି ଯେ, ଚାଷୀ ଆମର ଗୌରବ ।ଚାଷୀର ବିକାଶ ସବୁବେଳେ ଆମର ଫୋକସ ହୋଇ ରହିଛି । ଚାଷୀଭାଇର ଫସଲ ବୀମା ପ୍ରିମିୟମ ଦାୟିତ୍ଵ ଏବେ ରାଜ୍ଯ ସରକାର ନେଇଛନ୍ତି ବୋଲି ନବୀନ କହିଛନ୍ତି। ଯୁବ ସମାଜକୁ ରୋଜଗାରକ୍ଷମ କରିବା ପାଇଁ ଆମେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ମାନଙ୍କୁ ଏନୟୁଏ ଯୋଜନାରେ ତାଲିମ ଦେବୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ପ୍ରତି ଗାଁରେ ଆଧୁନିକ ଡିଜିଟାଲ ଭିତ୍ତିଭୂମି ବିକାଶ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗରିବ ଲୋକ , ଚାଷୀ ,ମହିଳା,ଜନଜାତି, କଳାକାର, ଯୁବ ସମାଜ ଭଳି ସବୁ ବର୍ଗର ଲୋକଙ୍କୁ ସାଥିରେ ନେଇ ଓଡିଶା ଆଜି ଆଗକୁ ବଢୁଛି । ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ ବୋଲି ମୁଖ୍ୟମନ୍ତ୍ରୀ କ‌ହିବା ସହ ଏକ ସମୃଦ୍ଧ ଓଡିଶା, ଏକ ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି।

Comments are closed.