ସନ୍ଧ୍ୟା ୭ଟା ଯାଏଁ ଟୁଇନ ସିଟିକୁ ବର୍ଷା ସତର୍କତା, ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଭୁବନେଶ୍ବର ଓ କଟକ ପାଇଁ ଆଜି ସନ୍ଧ୍ୟା ୭ଟା ଯାଏଁ ବର୍ଷା ସତର୍କତା ଜାରି କରାଯାଇଛି । ଘଡ଼ଘଡ଼ି ସହ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷା ବେଳେ ଟ୍ରାଫିକ୍‌ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏଣେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆସନ୍ତାକାଲି ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିଛି ବର୍ଷାର ପରିମାଣ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଆଜି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

Comments are closed.