ଗଞ୍ଜାମ: କାର୍ ଧକ୍କାରେ ମହିଳା ସମେତ ଦୁଇ ବୋଲବମ୍ ଭକ୍ତ ମୃତ

ବ୍ରହ୍ମପୁର: ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା ପାଲଟିଛି ଶେଷ ଯାତ୍ରା। ରବିବାର ମଧ୍ୟରାତ୍ରରେ ଆସିକା- ଭେଟନଇ ରାସ୍ତାର ଭେଟସିଙ୍ଗି ନିକଟରେ କାର୍ ଧକ୍କାରେ ଦୁଇ ବୋଲବମ୍ ଶିବ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅନିତା ସ୍ବାଇଁ ଓ କୁନା ବେହେରା। ପ୍ରାୟ ୧୦ ଜଣ ବୋଲବମ୍ ଭକ୍ତ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ କାରଟି ରାସ୍ତା ପାର୍ଶ୍ଵରେ ବିଲକୁ ଖସି ପଡ଼ିଛି।

ଆସିକା ନିକଟ ଋଷିକୁଲ୍ୟା- ବଡ଼ ନଦୀ ସଙ୍ଗମ ସ୍ଥଳରୁ ଜଳ ନେଇ ଏମାନେ ଅରଖପୁରର ତାରକେଶ୍ୱର ମନ୍ଦିରକୁ ଯାଉଥିଲେ। ଭେଟନଇ ପାଖ ଭେଟସିଙ୍ଗି ରାସ୍ତାରେ ଦ୍ରୁତ ଗତିରେ ଆସି କାରଟି ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଇଥିଲା। ଆହତ ବୋଲବମ୍ ଭକ୍ତମାନଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏବଂ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଆସିକା ଡାକ୍ତରଖାନାରେ ଅନିତା ଓ ବ୍ରହ୍ମପୁରରେ କୁନାଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଡ୍ରାଇଭର୍ ସମେତ କାରରେ ଥିବା ଯାତ୍ରୀମାନେ ଚମ୍ପଟ ମାରିଥିଲେ। କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

Comments are closed.