ମଧୁବାବୁ ପେନ୍‌ସନ୍‌ ସ୍କିମ୍‌: ବ୍ରହ୍ମପୁରରେ ନୂଆ ୩୮୬୮ ହିତାଧିକାରୀ ଉପକୃତ

ବ୍ରହ୍ମପୁର: ଲୋକଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ ଯେଜନା ବାଦେ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ମଧୁବାବୁ ପେନ୍‌ସନ୍‌ ସ୍କିମ୍‌। କାରଣ କେନ୍ଦ୍ରର ପେନସନ ସ୍କିମ୍‌ରେ ଅନେକ ହିତାଧିକାରୀ ବିଭିନ୍ନ କାରଣରୁ ସାମିଲ ହୋଇପାରୁ ନାହାନ୍ତି। ବିଭିନ୍ନ ଜଟିଳତା କାରଣରୁ ସେଥିରୁ ବାଦ୍ ପଡୁଥିବା ଭିନ୍ନକ୍ଷମ, ବୃଦ୍ଧ ଓ ଅସହାୟଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ଦୃଷ୍ଟିରୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି ରାଜ୍ୟର ନବୀନ ପଟ୍ଟନାୟକ ସରକାର। ତେବେ କେତେକ ବିଭ୍ରାନ୍ତି କାରଣରୁ ଦୀର୍ଘ ଦିନ ହେବ ନୂଆ ହିତାଧିକାରୀଙ୍କୁ ସମ୍ପୃକ୍ତ କରାଯିବା ପ୍ରକ୍ରିୟା ବନ୍ଦ ରହିଥିଲା। ଏବେ ରାଜ୍ୟ ସରକାର ସମସ୍ତ ଦ୍ବନ୍ଦ୍ବ ଦୂର କରି ହିତାଧିକାରୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ପୁଣି ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ସ୍କିମ୍‌ରେ ଯୋଡ଼ିବା ଆରମ୍ଭ କରିଛନ୍ତି। ନିକଟରେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ନୂଆ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପେନସନ୍ ସ୍କିମ୍‌ରେ ସାମିଲ କରାଇଛନ୍ତି ଯେଉଁମାନେ ଆର୍ଥିକ ସହାୟତା ପାଇ ଉପକୃତ ହୋଇପାରିବେ। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୩୮୬୮ ଜଣ ନୂଆ ହିତାଧିକାରୀ ଏଣିକି ରାଜ୍ୟ ସରକାରଙ୍କ ଠାରୁ ପେନ୍‌ସନ୍‌ ପାଇପାରିବେ। ସେମାନଙ୍କୁ ଚଳିତ ମାସରୁ ପେନ୍‌ସନ୍‌ ପ୍ରଦାନ ଆରମ୍ଭ ହୋଇଛି। ଫଳରେ ବିଇଏମ୍‌ସିରେ ମୋଟ ମଧୁବାବୁ ପେନ୍‌ସନ୍‌ ସ୍କିମ୍‌ ହିତାଧିକାରୀ ସଂଖ୍ୟା ୧୪୧୭୮କୁ ବୃଦ୍ଧି ପାଇଛି। ପୂର୍ବରୁ ୧୩୮୪ ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିରୁ ଯୋଗ୍ୟ ହିତାଧିକାରୀ ଚୟନ ସହ ବିଭିନ୍ନ ଓ୍ବାର୍ଡରେ କର୍ପୋରେଟର୍‌ଙ୍କ ଜରିଆରେ ଅବଶିଷ୍ଟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଇଏମ୍‌ସି କର୍ତ୍ତୃପକ୍ଷ।

ବ୍ରହ୍ମପୁର ମହାନଗରରେ କେନ୍ଦ୍ରୀୟ ପେନ୍‌ସନ୍‌ ସ୍କିମ୍‌ର ହିତାଧିକାରୀ ୧୧୨୦୧ ଓ ରାଜ୍ୟର ପେନ୍‌ସନ୍‌ ଯୋଜନାର ହିତାଧିକାରୀ ୧୦୩୧୦ ଜଣ ଥିଲେ। ପେନ୍‌ସନ୍‌ ଯୋଜନାରେ ଆବେଦନ ସତ୍ତ୍ଵେ ମଞ୍ଜୁରୀ ନଥିବାରୁ ନୂଆ ହିତାଧିକାରୀ ଯୋଡ଼ି ହୋଇପାରୁନଥଲେ। ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ ଜିଲ୍ଲା ପାଇଁ ଅତିରିକ୍ତ ପେନ୍‌ସନ୍‌ ମଞ୍ଜୁର କରିଥିଲେ। ସେଥ୍‌ରେ ବିଇଏମ୍‌ସିର ୪୨ ଓ୍ବାର୍ଡ ପାଇଁ ନୂଆ ୩୮୬୮ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ସ୍କିମ୍‌ରେ ଅର୍ଥ ପ୍ରଦାନ ସକାଶେ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏବେ ଦୁଇଟି ପର୍ଯ୍ୟାୟରେ ବ୍ରହ୍ମପୁର ମହାନଗରର ୧୧୮୭ ଜଣଙ୍କୁ ନୂଆ କରି ପେନ୍‌ସନ୍‌ ମଞ୍ଜୁର କରାଯାଇଛି। ଅବଶିଷ୍ଟ ୨୬୮୧ ଜଣ ନୂଆ ହିତାଧିକାରୀଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନିକଟରେ ଅନୁଷ୍ଠିତ ବିଇଏମ୍‌ସି ସ୍ବତନ୍ତ୍ର କାଉନ୍‌ସିଲ୍‌ ବୈଠକରେ ଆଲୋଚନା ହୋଇଥଲା। ନିଜ ନିଜ ଓ୍ଵାର୍ଡର ଯୋଗ୍ୟ ହିତାଧିକାରୀ ଚୟନ କରି ବିଇଏମ୍‌ସିରେ ସେମାନଙ୍କ ତାଲିକା ଦାଖଲ କରିବାକୁ କର୍ପୋରେଟର୍‌ମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ମଧୁବାବୁ ପେନ୍‌ସନ୍‌ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ହାତକୁ ଦେଉଛନ୍ତି।

Comments are closed.