୫ଟି ସଚିବଙ୍କୁ ଭେଟି କାନ୍ଦିଥିବା ଅଞ୍ଜନାଙ୍କୁ ପାଣ୍ଡିଆନ୍‌ଙ୍କ ମୋବାଇଲ ଉପହାର

ଝାରସୁଗୁଡ଼ା: ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ମହାନତା ପୁଣି ଥରେ ପ୍ରତିପାଦିତ ହୋଇଛି। ସଚିବଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ଏକ ନିଆରା ଦୃଶ୍ଯ ଦେଖିବାକୁ ମିଳିଥିଲା। ଜଣେ କଲେଜ ଛାତ୍ରୀ ଶ୍ରୀ ପାଣ୍ଡିଆନ୍‌ଙ୍କ ସହ କରମର୍ଦ୍ଦନ ବେଳେ କାନ୍ଦି ପକାଇଥିଲେ। ଆଉ ଉକ୍ତ ଛାତ୍ରୀଙ୍କ ଭାବପ୍ରବଣତା ଜନସମୁଦ୍ରର ଭିଡରେ ଅଟକି ସାନ୍ତ୍ବନା ଦେବାକୁ ଶ୍ରୀ ପାଣ୍ଡିଆନ୍‌ଙ୍କୁ ବାଧ୍ଯ କରିଥିଲା। ତେବେ ଗତକାଲି ଶ୍ରୀ ପାଣ୍ଡିଆନ ପଠାଇଥିବା ଏକ ମୋବାଇଲକୁ ଗତକାଲି ଝାରସୁଗୁଡ଼ା ଜିଲ୍ଲାପାଳ ଉକ୍ତ ଛାତ୍ରୀଙ୍କୁ ଡାକି ପ୍ରଦାନ କରିଛନ୍ତି।

ଗତ ୨୦ ତାରିଖରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ। ଲଖନପୁର ବ୍ଲକର ପଞ୍ଚଗାଁ ବିଜାପାଲି ସ୍ଥିତ ମହିମା କଲେଜ ପଡିଆରେ ଛାତ୍ରଛାତ୍ରୀ ଏବଂ ଏସ୍ଏଚଜି ମହିଳାଙ୍କୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ମଞ୍ଚ ଆଡକୁ ଭିଡ ଭିତରେ ସଚିବ ଆଗକୁ ବଢୁଥିଲେ। ଲୋକଙ୍କ ଠାରୁ ହସ ହସ ବଦନରେ ଦାବିପତ୍ର ଗ୍ରହଣ କରି କରମର୍ଦ୍ଦନ କରି ଚାଲିଥିଲେ। ସେଲଫି ପାଇଁ ଅନୁରୋଧ ହେବା ମାତ୍ରେ ତୁରନ୍ତ ଅଟକି ଯାଉଥିଲେ। ମଞ୍ଚ ତଳେ ବ୍ୟାରିକେଡ ଲାଗି ଛିଡା ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ବି କରମର୍ଦ୍ଦନ କରୁଥିଲେ। ଠିକ୍ ଏତିକି ବେଳେ କିଛି ଛାତ୍ରୀ ତାଙ୍କୁ ଘେରି କରମର୍ଦ୍ଦନ କରିବା ବେଳେ ମହିମା କଲେଜର ଛାତ୍ରୀ ଅଞ୍ଜନା ଗୌଡ ସାରଙ୍କ ହାତକୁ ଧରିବାର ସୁଯୋଗ ପାଇବା ମାତ୍ରେ କାନ୍ଦି ପକାଇଥିଲେ। ଅଞ୍ଜନାଙ୍କ କାନ୍ଦିବା ଦେଖି ଶ୍ରୀ ପାଣ୍ଡିଆନ ସେଠାରେ ଅଟକି ଯାଇ ତାଙ୍କୁ ସାନ୍ତ୍ବନା ଦେଇଥିଲେ। କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲେ ‘”ସାର୍ ମୁଁ ଆପଣଙ୍କ କାର୍ଯ୍ୟଶୈଳୀରେ ବିଶେଷ ଭାବେ ପ୍ରଭାବିତ। ଆପଣଙ୍କୁ ମୁଁ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଫଲୋ କରିବା ସହିତ ଅନେକ ସୂଚନା ବି ଦେଇଥାଏ। ହେଲେ କେବେ ବି ଉତ୍ତର ପାଇନଥାଏ। ଆଜି ପାଖରେ ପାଇଁ କୋହ ସମ୍ଭାଳି ପାରୁନି ସାର୍। ” ଏତିକି ଶୁଣିବା ପରେ ଶ୍ରୀ ପାଣ୍ଡିଆନ ଅଞ୍ଜନାଙ୍କୁ କଠିନ ପରିଶ୍ରମ କରି ମୋ ଭଳି ଅଫିସର ହୁଅ ବୋଲି ପରାମର୍ଶ ଦେଇଥିଲେ। ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ଉକ୍ତ ଦିନ ସନ୍ଧ୍ୟାରେ ଅଞ୍ଜନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଥିବା ବେଳେ ଶ୍ରୀ ପାଣ୍ଡିଆନ କଥା ହୋଇଥିଲେ। ତାଙ୍କ ସୁଖ ଦୁଃଖ ବୁଝିବା ସହିତ ଆଗାମୀ ୫ ବର୍ଷ କଠିନ ପରିଶ୍ରମ କରି ୟୁପିଏସସି ରେ କୃତକାର୍ଯ୍ୟ ହେବାକୁ ପରାମର୍ଶ ଦେଇଥିଲେ। ଆଉ ଏହାର ଦୁଇଦିନ ପରେ ଶ୍ରୀ ପାଣ୍ଡିଆନ ଅଞ୍ଜନାଙ୍କୁ ଦେବାକୁ ଏକ ମୋବାଇଲ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ। ଗତକାଲି ଅଞ୍ଜନାଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ରଣଭଣେ ତାଙ୍କ ଅଫିସକୁ ଡାକି ଉକ୍ତ ମୋବାଇଲ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଆଗରେ ଅଞ୍ଜନା କଠିନ ପରିଶ୍ରମ କରି ପାଣ୍ଡିଆନ ସାରଙ୍କ ଭଳି ଅଫିସର ହେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ଯ ଯେ ଅଞ୍ଜନା ଲଖନପୁର ବ୍ଲକର ଭିକମପାଲି ପଞ୍ଚାୟତର ଚିଖିଲାପାଲି ଗାଁର ଗରିବ ଘରର ଝିଅ ଅଟନ୍ତି। ତାଙ୍କ ବାପା ମାଁ ଗାଁରେ ଏକ ପୂଜା ଦୋକାନ ଦେଇ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ପାଣ୍ଡିଆନ୍‌ଙ୍କ ଏଭଳି ବଦାନ୍ୟତା ଚର୍ଚ୍ଚାର ବିଷୟ ହୋଇଛି।

Comments are closed.