ବଡ଼ ପଥରଖଣ୍ଡ ତଳେ ଚାପି ହୋଇ ପ୍ରାଣ ହରାଇଲେ ମାମୁଭଣଜା

ପାରଳାଖେମୁଣ୍ଡି – ବ୍ଲାଷ୍ଟିଂ ବେଳେ ଏକ ବଡ ପଥର ଖଣ୍ଡ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ସଂପର୍କରେ ମାମୁ ଭଣଜା ହେବେ ବୋଲି ଜଣାପଡିଛି। ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଜେସିବି ନିୟୋଜିତ କରାଯାଇଛି ।

ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ରମ୍ଭା ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ। ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର କୁଆରିରେ ବ୍ଲାଷ୍ଟିଂ କରାଯାଉଛି। ଗତକାଲି ସନ୍ଧ୍ୟାରେ ପଥର ବ୍ଲାଷ୍ଟିଂ ବେଳେ ଦୁହେଁ ମାମୁ ଭଣଜା ସେଠାରେ ଠିଆ ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବଡ଼ ପଥର ପଡ଼ିଯାଇଥିଲା। ଦୁହେଁ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ପଥର ତଳେ ଚାପି ହୋଇ ରହିଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ମୃତଦେହକୁ ଉଦ୍ଧାର କରିବା ପାଇଁ ଜେସିବି ନିୟୋଜିତ କରାଯାଇଛି।

Comments are closed.