ନିଜ ଲୋକଙ୍କୁ ପ୍ରତାରିତ କରିଥିବା ବିଧାୟକଙ୍କ ମୁଖା ଖୋଲିଲେ ୫-ଟି ସଚିବ

ଭୁବନେଶ୍ୱର – ଯେଉଁ ଲୋକେ ବିଶ୍ୱାସ କରି ନିର୍ବାଚନରେ ଜଣଙ୍କୁ ଜିତାଇ ନିଜର ପ୍ରତିନିଧି ଭାବେ ବିଧାନସଭାକୁ ପଠାଇଲେ, ସେହି ନିର୍ବାଚିତ ଲୋକ ପ୍ରତିନିଧି ଯଦି ଠିକଣା ସମୟରେ, ଦରକାର ବେଳେ ଯଦି ଲୋକଙ୍କଠାରୁ ଦୂରେଇ ଯାଇ ବିଶ୍ୱାସଘାତକତା କରିବ, ତାହା ହେଲେ କିଏ କଣ କରିବ ?

କୋଭିଡ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଠିକ୍ ଏମିତି ହିଁ ଦେଖିବାକୁ ମିଳିଥିଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ । ସେତେବେଳେ ଗୋପାଳପୁର ବିଧାୟକ କେବଳ ନିଜ ସ୍ୱାର୍ଥ ହାସଲ ଓ ନିଜର ସୁରକ୍ଷାରେ ବ୍ଯସ୍ତ ରହିଥିଲେ । ଯେଉଁ ଲୋକେ ଦିନେ ତାଙ୍କୁ ସମର୍ଥନ କରି ବିଧାନସଭାକୁ ପଠାଇଥିଲେ, ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ଛାଡିଦେଲେ ଜନ ପ୍ରତିନିଧି । ଏପରିକି ମହାମାରୀ ସମୟରେ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ ନ କରିବାକୁ ସେହି ଜନପ୍ରତିନିଧି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଭାବିତ କରିବା ପାଇଁ ମଧ୍ୟ ହୀନ ଉଦ୍ୟମ କରିଥିଲେ।

ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଗସ୍ତ କରିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ସେହି ଜନପ୍ରତିନିଧିଙ୍କ ମୁଖା ଖୋଲି ଦେଇଛନ୍ତି ଯିଏ କି ମହାମାରୀ ବ୍ୟାପିବା ବେଳେ ଗୋପାଳପୁରର ଜନସାଧାରଣଙ୍କ ସହ ବିଶ୍ବାସଘାତକତା କରିବାକୁ ପଛାଇ ନଥିଲେ । କୋଭିଡ ମହାମାରୀ ବେଳେ ନିଜ ନିଜ ଗାଁକୁ ଲୋକଙ୍କ ଫେରିବା ଚାହୁଁନଥିଲେ ସଂପୃକ୍ତ ଜନପ୍ରତିନିଧି।

ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ଭାଷଣରେ ୫-ଟି ସଚିବ ଭି.କେ ପାଣ୍ଡିଆନ ସଂପୃକ୍ତ ବିଧାୟକଙ୍କ ଜନବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇ ଦେଇଥିଲେ । ବିଧାୟକ ଜଣକ କୋଭିଡ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପରିବର୍ତ୍ତେ ସେମାନଙ୍କୁ ଶତ୍ରୁ ଭଳି ବ୍ୟବହାର କରିଥିଲେ । ଲୋକଙ୍କ ପ୍ରତିନିଧି ହୋଇଥିଲେ ମଧ୍ୟ ସଂପୃକ୍ତ ବିଧାୟକ କୋଭିଡ ବ୍ୟାପିବା ବେଳେ ରାଜ୍ୟ ବାହାରେ ଥିବା ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଫେରିବାକୁ ଚାହୁଁନଥିଲେ ବୋଲି ୫-ଟି ସଚିବ କହିଛନ୍ତି। ସଂପୃକ୍ତ ବିଧାୟକ ଲୋକସେବା ନାଁରେ ଲୋକଙ୍କ ସହ ପ୍ରତାରଣା କରିଥିଲେ ବୋଲି କହି ସେହି କଳଙ୍କିତ ଜନପ୍ରତିନିଧିଙ୍କ ପ୍ରକୃତ ଚେହେରାକୁ ପଦାରେ ପକାଇ ଦେଇଛନ୍ତି ୫-ଟି ସଚିବ । ଆଉ ଲୋକଙ୍କ ସହ ପ୍ରତାରଣା ପାଇଁ ହିଁ ସେ ଆଜି ତାର ପରିଣାମ ଭୋଗ କରୁଛନ୍ତି।

କୋଭିଡ ମହାମାରୀର ପ୍ରାରମ୍ଭିକ ସମୟରେ ଗୋପାଳପୁର ଜନ ପ୍ରତିନିଧି ଏକ ହୀନ ଅଭିଯାନ ଆରମ୍ଭ କରିଥିଲେ। ଓଡ଼ିଶାର ଅନେକ ଲୋକ ସେତେବେଳେ ଅନ୍ୟ ରାଜ୍ୟରେ ଅସହାୟ ଅବସ୍ଥାରେ ଥିଲେ ଓ ତୁରନ୍ତ ଫେରିବାକୁ ଚାହୁଁଥିଲେ । ଏଥିପାଇଁ ସେମାନେ ସରକାରୀ ସହାୟତା ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସେମାନଙ୍କୁ ସରକାରୀ ଖର୍ଚ୍ଚରେ ହିଁ ଓଡ଼ିଶା ଫେରାଇ ଆଣିବାକୁ ଦାୟିତ୍ବ ନେଇଥିଲେ । ଏପରି ଏକ ସମ୍ବେଦନଶୀଳ ସମୟରେ ସଂପୃକ୍ତ ଜନପ୍ରତିନିଧି ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ବାହାର ରାଜ୍ୟରେ ଥିବା ଲୋକଙ୍କୁ ନ ଆଣିବାକୁ କହିଥିଲେ । ସେମାନେ ଫେରିଲେ ଗଞ୍ଜାମରେ କୋଭିଡ ପରିସ୍ଥିତି ବିଗିଡି ଯିବ ବୋଲି ଜନ ପ୍ରତିନିଧି ଜଣଙ୍କ ଅଜବ ଯୁକ୍ତି ଦର୍ଶାଇଥିଲେ । ନିଜେ ପ୍ରଥମେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କ କଥା ପରେ ଚିନ୍ତା କରିବାକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଜଣେ ସ୍ୱାର୍ଥପର ବିଧାୟକଙ୍କ ମୁହଁରୁ ଏଭଳି ଶୁଣି ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ବିଧାୟକଙ୍କୁ କିଛି ନ କହି ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସେବା ମନୋବୃତ୍ତିରେ ଲୋକଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଃସ୍ୱାର୍ଥପର ଭାବେ ଜନସେବା କରିବାକୁ ସୁଯୋଗ ପାଉଥିବା ଲୋକେ ଏହାକୁ ଭଗବାନଙ୍କ ଆଶୀର୍ବାଦ ଭାବେ ଗ୍ରହଣ କରିବା ଉଚିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଯଦି ସ୍ୱାର୍ଥ ରଖି ସେବା କର, ତାହା ହେଲେ ଭଗବାନ କେବେ ବି କ୍ଷମା ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କିନ୍ତୁ ସଂପୃକ୍ତ ଜନପ୍ରତିନିଧି ନିଜର ସ୍ୱାର୍ଥ ହାସଲ ପାଇଁ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ।

Comments are closed.