ଚନ୍ଦ୍ରଯାନ-୩ର ସଫଳତା ପରେ ଭଦ୍ରକାଳୀ ମନ୍ଦିରରେ ଇସ୍ରୋ ମୁଖ୍ୟଙ୍କ ପୂଜାର୍ଚ୍ଚନା, କହିଲେ ଭାରତ ଯେକୌଣସି ଗ୍ରହରେ ପହଞ୍ଚିବାକୁ ସମର୍ଥ

ଥିରୁବନନ୍ତପୁରମ: ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କେରଳର ଏକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ରବିବାର ଇସ୍ରୋ ମୁଖ୍ୟ ସୋମନାଥ ଥିରୁବନନ୍ତପୁରମର ପୁର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ଚନ୍ଦ୍ର ପରେ ମଙ୍ଗଳ ଏବଂ ଶୁକ୍ର ଏବଂ ଅନ୍ୟ ସବୁ ଗ୍ରହକୁ ଯାତ୍ରା କରିବା ସାମର୍ଥ୍ୟ ଭାରତର ଅଛି । ଆମକୁ କେବଳ ନିଜର ଆତ୍ମବିଶ୍ୱାସ ବଢାଇବା ଆବଶ୍ୟକ।

ସୋମନାଥ କହିଛନ୍ତି, ଯେ ମହାକାଶ କ୍ଷେତ୍ରର ବିକାଶ ପାଇଁ ଅଧିକ ପୁଞ୍ଜି ନିବେଶ ଆବଶ୍ୟକ। ଆମର ଲକ୍ଷ୍ୟ ହେଉଛି ମହାକାଶ କ୍ଷେତ୍ରର ବିକାଶ। ସମଗ୍ର ଦେଶର ବିକାଶ | ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ଯେଉଁ ଭିଜନ ଦେଇଛନ୍ତି ତାହା ପୂରଣ କରିବାକୁ ଆମେ ପ୍ରସ୍ତୁତ।

ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳ ଅବତରଣ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଥିଲା । ଇସ୍ରୋ ସୂଚନା ମୁତାବକ, ଚନ୍ଦ୍ରଯାନ-୩ ମିଶନର ରୋଭର ‘ପ୍ରଜ୍ଞା’ ଚନ୍ଦ୍ରପୃଷ୍ଠରେ ବିଚରଣ କରି ତଥ୍ୟ ସଂଗ୍ରହ କରୁଅଛି । ରୋଭର ୮ ମିଟର ଦୂରତା ସଫଳତାର ସହ ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ସଠିକ୍ କାମ କରୁଛି ।

Comments are closed.