ଐତିହାସିକ ଦୃଷ୍ଟି କୋଣରୁ କେବେଠାରୁ ପ୍ରଚଳିତ ହେଲା ଶ୍ରୀମନ୍ଦିରରେ ପ୍ରାବୃଟ ରାସ ବା ଝୁଲଣ ଯାତ୍ରା, ଆଜିର ଏକ ବିହାଙ୍ଗାବଲୋକନ

ଶ୍ରୀମନ୍ଦିରରେ ବାର ମାସରେ ତେର ଯାତ୍ରା। ସେଥିମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ ଉତ୍ସବ। ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଦ୍ଵାପର ଯୁଗର ଲୀଳା କୁ ସ୍ମରଣ କରି ଏହି ଉତ୍ସବ ପାଳନ କରାଯାଏ।

ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ଗୌଡ଼ୀୟ ବୈଷ୍ଣବ ମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ପରମ ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି। ବୋଲି ଗବେଷକ ବୃନ୍ଦ ମତ ପୋଷଣ କରିଥାନ୍ତି।

ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି,ସୋଲ ଓ କପଡ଼ାରେ ସଜ୍ଜିତ କରା ଯାଇଥାଏ ।ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗି ଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି ।

ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ବିଜେ ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାଇଥାନ୍ତି ।

ପୌରାଣିକ କିମ୍ବଦନ୍ତୀ ଆଧାର ରେ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ,ମନୁଷ୍ୟ ଓ ଗୋପୀ- ମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛିସେବା ପାଇବା ପାଇଁ ପ୍ରାର୍ଥନା କରିଥିଲେ ।ପ୍ରାର୍ଥନାକୁ ସ୍ୱୀକାରକରି ଭଗବାନ ସେମାନଙ୍କୁ ଏକ ସୁନ୍ଦର ଝିଲମିଲ ଜରି ଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ପ୍ରଦାନ କରିଥିଲେ।

ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟଯାଏ ପ୍ରତିମାମାନେ ଏହି ଝୁଲଣ ରେ ଅବସ୍ଥାନ କରନ୍ତି । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ବିଜେ ପ୍ରତିମା ମାନେ ସିଂହାସନରେ ବିଜେ ହୁଅନ୍ତି ।

ଝୁଲଣ ମଣ୍ଡପ ସମ୍ମୁଖରେ ସନ୍ଧ୍ୟାରେ ସଙ୍ଗୀତ ଆଦି ଅନୁଷ୍ଠାନ ଆୟୋଜିତ ହୋଇଥାଏ।ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ଶ୍ରୀଦେବୀ ଭୂଦେବୀଙ୍କ ସହ ଶ୍ରୀ ମଦନମୋହନ ଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଝୁଲଣ କୁ ଆକର୍ଷିତ କରିବାକୁ ଦ୍ଵାପର ର ବିଭିନ୍ନ ଲୀଳାଚିତ୍ର କୁ ସ୍ଥାନିତ କରାଯାଇଥାଏ। ସ୍ଥାନୀୟ କଳାକାର ବୃନ୍ଦ ପାରମ୍ପରିକ ଓଡିଶୀ ସଂଗୀତ ମାଧ୍ୟମରେ ରାସ ରସିକେନ୍ଦ୍ର ଚୁଡାମଣିଙ୍କ ରାସ ସଙ୍ଗୀତ ଗାନ କରି ପ୍ରଭୁଙ୍କୁ ଆମୋଦିତ କରିଥାନ୍ତି।

Comments are closed.