ମହିଳା ବୁଣାକାରଙ୍କ ପାଇଁ ମିଶନ ଶକ୍ତି ଗଠନ କଲା ଏସଏମବିପି କଂପାନି

ସମ୍ବଲପୁର : ମହିଳା ବସ୍ତ୍ର ବୁଣାକାରଙ୍କ ଉନ୍ନତି ପାଇଁ ମିଶନ ଶକ୍ତିର ଆଉ ଏକ ପଦକ୍ଷେପ। ଏମାନଙ୍କ ଉତ୍ପାଦିତ ସମ୍ବଲପୁରୀ ବସ୍ତ୍ରର ଉପଯୁକ୍ତ ବଜାରରୁ ଆରମ୍ଭ କରି ତାଲିମ ବ୍ୟବସ୍ଥା ପାଇଁ ଗଠନ ହେଲା ସମ୍ବନ୍ଧ ମହିଳା ବୁଣାକାର ଉତ୍ପାଦକ କଂପାନି ଲିମିଟେଡ (ଏସ୍ଏମବିପି)। ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ୧କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି କଂପାନି ପକ୍ଷରୁ ଭୁବନେଶ୍ଵର ବନ୍ଦରରେ ସମ୍ବଲପୁରୀ ବସ୍ତ୍ରର ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

ସମ୍ବଲପୁରୀ ବସ୍ତ୍ରର ଚାହିଦା ଆଜି ବିଶ୍ଵର କୋଣ ଅନୁକୋଣକୁ ପ୍ରସାରିତ ହେଲାଣି। ହେଲେ କାରିଗରମାନଙ୍କ ସ୍ଥିତି ଯଦିଓ ଆଗଠାରୁ ସୁଧୁରିଛି ତଥାପି ଆଶାନୁରୂପ ସୁଦୃଢ ହୋଇପାରିନାହିଁ। ରାଜ୍ୟ ସରକାର ଏମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ଯକାରୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ସୂତା ଓ କପଡା ଉଭୟରୁ ଜିଏସଟି ଟାଣି ପରୋକ୍ଷରେ ବୁଣାକାରଙ୍କ ପେଟରେ ଲାତ ମାରୁଛନ୍ତି ବୋଲି ଅଭିଯୋଗ ହେଉଛି। ତେବେ ବୁଣାକାରଙ୍କ ମଧ୍ଯରେ ମହିଳା ଅଧିକ ରହୁଥିବା ବେଳେ କପଡା ବୁଣାରେ ଏମାନଙ୍କ ସିଂହଭାଗ ଭୂମିକା ରହିଥାଏ। ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ମହିଳା ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ମିଶନ ଶକ୍ତି ଏକ ଉତ୍ପାଦକ କଂପାନି ଗଠନ କରିଛି। ଏହି କଂପାନି ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା ମଧ୍ଯ ଯୋଗାଇ ଦିଆଯାଇଛି।

ଗତ ଛଅ ମାସ ମଧ୍ଯରେ କଂପାନୀର ପଞ୍ଜିକରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଛି।

ସମ୍ବଲପୁର ଜିଲ୍ଲାର କର୍ଡୋଲା ଗ୍ରାମରେ ଥିବା ପ୍ରାୟ ୬୫ଜଣ, କନ୍ଧରାର ୭୦ଜଣ, ଚାରପାଲି ଓ ହୁମା ଅଞ୍ଚଳରେ ଥିବା ପ୍ରାୟ ୫୦ ଜଣ ସମ୍ବଲପୁରୀ ବୁଣାକାରଙ୍କୁ ନେଇ ଏହି କମ୍ପାନି ଗଠନ ହୋଇଛି। ବିଶେଷ କରି ଏହି କମ୍ପାନି ମାଧ୍ୟମରେ ବୁଣାକାରଙ୍କୁ ବାନ୍ଧକଳା ତାଲିମ ପ୍ରଦାନ କରିବା, ରଙ୍ଗ କରିବା, ନୂତନ ଡିଜାଇନ୍ ପ୍ରସ୍ତୁତି ପାଇଁ ତାଲିମ ପ୍ରଦାନ କରିବା ସହ କାରିଗରମାନେ ପ୍ରସ୍ତୁତ କରୁଥିବା ବସ୍ତ୍ରର ସ୍ବତନ୍ତ୍ର ବିକ୍ରୟ ବ୍ୟବସ୍ଥା କରାଯିବ।

ଦକ୍ଷତା ବୃଦ୍ଧି ଓ କମ୍ପାନି କୋଠା ନିର୍ମାଣ ପାଇଁ 9 ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ ହେବ। ସେହିପରି ବୈଷୟିକ ଜ୍ଞାନ ବାବଦକୁ ୭୫ ହଜାର ଟଙ୍କା, ବୁଣାକାରଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଯନ୍ତ୍ରପାତି ବାବଦକୁ ୩୭ ଲକ୍ଷ ଟଙ୍କା, ବୁଣା କାର୍ଯ୍ୟ ଆରମ୍ଭ କରିବା ପାଇଁ ୪୧.୯୭ ଲକ୍ଷ ଟଙ୍କା, ପ୍ରସାର ପ୍ରଚାର ପାଇଁ (ବ୍ରାଣ୍ଡିଂ ଆଣ୍ଡ ପ୍ରମୋସନ୍) ୫ ଲକ୍ଷ ଟଙ୍କା, ବିକ୍ରୟ ବ୍ୟବସ୍ଥା ପାଇଁ ୬ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ କନ୍ଧରା ଠାରେ କିଛି ବୁଣାକାରଙ୍କୁ ନେଇ ବାନ୍ଧ କଳା ତାଲିମ ପ୍ରଦାନ ଚାଲିଛି। ପୂର୍ବରୁ କର୍ଡୋଲା ଓ ଚାରପାଲି ସ୍ଥିତ ବୁଣାକାରଙ୍କୁ ନେଇ ବାନ୍ଧକଳା ତାଲିମ ପ୍ରଦାନ କାର୍ଯ୍ୟ ଶେଷ ହୋଇଛି ବୋଲି ଓଡ଼ିଶା ଜୀବିକା ମିଶନ ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକ ସୂଚନା ଦେଇଛନ୍ତି। ଓରମାସ୍ ସମ୍ବଲପୁର ମୁଖ୍ୟ ଶ୍ରୀମନ୍ତ ହୋତାଙ୍କ ସୂଚନା ଅନୁଯାୟୀ ସମ୍ବଲପୁରୀ ବସ୍ତ୍ରର ବ୍ୟାପକ ପ୍ରଚାର ପ୍ରସାର ଓ ବିକ୍ରୟ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଜିଲ୍ଲାର ବୁଣାକାର ପ୍ରସ୍ତୁତ କରୁଥିବା ସମ୍ବଲପୁରୀ ବସ୍ତ୍ରର ସ୍ବତନ୍ତ୍ର ବିକ୍ରୟ ବ୍ୟବସ୍ଥା ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ଓରମାସ୍ ବିକ୍ରୟ କେନ୍ଦ୍ରରେ ବ୍ୟବସ୍ଥା ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.