ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ, ଦାତୁନାମା ସିଆରପିଏଫ୍ କ୍ୟାମ୍ପ ଉଦଘାଟିତ

ନୂଆପଡ଼ା – ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ।

ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟ ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ସ୍ଥିତି ଅନୁଧ୍ୟାନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ। ପରେ ସେ ଦାତୁନାମାଠାରେ ନବ ନିର୍ମିତ ସିଆରପିଏଫ୍‌ କ୍ୟାମ୍ପର ଉଦଘାଟନ କରିଥିଲେ । ଏଠାରେ ସିଆରପିଏଫ ଓ କୋବ୍ରା ଫୋର୍ସ ନିୟୋଜିତ ହୋଇଛନ୍ତି । ସେଠାରେ ଜିଲ୍ଲା ପୁଲିସ ଓ ସିଆରପିଏଫ ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ଡିଜିପି।
ମଧ୍ୟାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ମାଓ ମୁକାବିଲା ଉପରେ ସମୀକ୍ଷା କରାଯାଇଛି । ସୀମାନ୍ତରେ ମାଓ ମୁକାବିଲାକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ ପୋଲିସ ମହାନିର୍ଦ୍ଦେଶକ। ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିକାଶଧାରାକୁ ତ୍ବରାନ୍ବିତ କରିବାକୁ ସେ ମାଓବାଦୀଙ୍କୁ ଆହ୍ଵାନ କରିଛନ୍ତି । ଏହି ଅବସରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଆଇଜି ଅପରେସନ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.