ଜଙ୍ଗଲରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ, ୩୦/୮: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି । ସୂଚନାନୁସାରେ, କୁମାରକାନୀ ଗାଁ ନିକଟ ଜଙ୍ଗଲ ଖଲିଆମୁଣ୍ଡା ନାଳ ନିକଟରେ ଆଜି ସକାଳୁ ଦୁର୍ଗନ୍ଧ ହେଉଥିବା ଜାଣି ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ତେବେ ସେଠାରେ ପତ୍ର ଢଙ୍କାଯାଇ ଜଣେ ଯୁବକର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ମୃତଦେହ ପାଖରେ କାଠ ଫଳିଆ ଓ ରକ୍ତ ଛିଟା ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ ସନ୍ଦେହ କରିଛନ୍ତି l ମୃତକ ଜଣକର ପରିଚୟ ମିଳି ନଥିବା ବେଳେ ସେଠାରେ କାମ ଚାଲିଥିବା ଠିକା ସଂସ୍ଥାର ସେ ରାତ୍ର ଜଗୁଆଳି ବୋଲି ଜଣାପଡ଼ିଛି । କିଏ ଓ କାହିଁକି ଏହି ଯୁବକଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନଥିବାବେଳେ ସ୍ଥାନୀୟ ଲୋକେ ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Comments are closed.