ସମ୍ବଲପୁରରର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପକୁ ଡବ୍ଲୁଓଡିସିର ଅନୁମୋଦନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକ ତଥା ଗୋପାଳକମାନଙ୍କୁ ବିକାଶ ଧାରାରେ ସାମିଲ କରିବାକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଭିନବ ପଦକ୍ଷେପ। ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ଏବଂ ବିତରଣର ସୁପରିଚାଳନା ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପକୁ ଆଜି ଅନୁମୋଦନ କରାଯାଇଛି। ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଏହି ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ସାମୁଲ) ଅଧିକ ସଶକ୍ତ ହେବ ବୋଲି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜି ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ଏଥିରେ ଦୁଗ୍ଧ ଉତ୍ପାଦନ ଏବଂ ବିତରଣ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର ପ୍ରକଳ୍ପ ସକାଶେ ପ୍ରସ୍ତାବ ଦେଇଥିଲା। ଆଉ ଏହି ପ୍ରକଳ୍ପକୁ ଶ୍ରୀ ତ୍ରିପାଠୀ ଅନୁମୋଦନ କରିଛନ୍ତି। ଏହି ଅବସରରେ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ବିକାଶ ପାଇଁ ଡବ୍ଲୁଓଡିସି ସଦା ଚେଷ୍ଟିତ। ଏହି ପ୍ରକଳ୍ପ ଦ୍ବାରା ସାମୁଲ ଅଧିକ ସଶକ୍ତ ହେବା ସହ ଦୁଗ୍ଧ ଚାଷୀଙ୍କ ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଦୁଗ୍ଧ ଶୀତଳଭଣ୍ଡାର, ମିଲ୍କ ଟ୍ୟାଙ୍କର, ଆଲୁମିନିଅମ ମିଲ୍କ କ୍ୟାନ, ଦୁଗ୍ଧର ମାନ ପରୀକ୍ଷା ପାଇଁ ଯନ୍ତ୍ର ଆଦି ଯୋଗାଇ ଦିଆଯିବ। ପୁଣି ଜିଲ୍ଲା ସାରା 30ଟି ସମବାୟ ସମିତି ଗଠନ କରି ଉକ୍ତ ପ୍ରକଳ୍ପର ସୁପରିଚାଳନା ବ୍ୟବସ୍ଥା କରାଯିବ। ଆଉ ଏହି ସମିତି ଗୁଡିକରେ ଜିଲ୍ଲାର 15 ଶହ ଚାଷୀ ପଞ୍ଜିକୃତ ହେବେ। ଏମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ବିତରଣକୁ ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଡବ୍ଲୁଓଡିସି ପକ୍ଷରୁ ଏହି ଯୋଜନା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡିରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି।

ସେହିପରି ଗୋପାଳକଙ୍କୁ ପ୍ରୋତ୍ସାହିତ କରିବାକୁ ଆସନ୍ତା ନଭେମ୍ବର 4 ଏବଂ 5 ତାରିଖ ଦୁଇଦିନ ଧରି ପଶ୍ଚିମ ଓଡିଶା ଗୋପାଳନ ସମ୍ମିଳନୀର ଆୟୋଜନ କରାଯାଉଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଡବ୍ଲୁଓଡିସିର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଡବ୍ଲୁଓଡିସି ପକ୍ଷରୁ ଯଥାସମ୍ଭବ ଆର୍ଥିକ ନିବେଶ ସହ ସକ୍ରିୟ ଯୋଗଦାନ ରହିବ ବୋଲି ସୂଚନା ଦିଆଯାଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାର, ଦୁଗ୍ଧ ଉତ୍ପାଦକ ଓ ବିତରଣ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ ସମେତ ଯୋଜନା ପ୍ରଣୟନକାରୀ ଯୋଗ ଦେବେ। ଆଜିର ଆଭାସୀ ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବ।ହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ସାମିଲ ହୋଇଥିଲେ।

Comments are closed.