ଗାଡ଼ିରେ ଲୋକେସନ ଟ୍ରାକିଂ ଓ ସେଫ୍ଟି ଡିଭାଇସ ଜରୁରୀ, ସମୟସୀମା ଧାର୍ଯ୍ୟ

ଭୁବନେଶ୍ୱର – ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ବାଧ୍ୟତାମୂଳକ । ଏହି ଡିଭାଇସ୍ ନଥିଲେ ଆସନ୍ତାମାସ ପହିଲାରୁ କୌଣସି ନୂଆ ଗାଡ଼ିର ପଞ୍ଜିକରଣ କରାଯିବ ନାହିଁ । ରାଜ୍ୟ ପରିବହନ କମିଶନର ମଙ୍ଗଳବାର ଦିନ ଏକ ସାର୍ବଜନୀନ ନୋଟିସ ଜାରି କରି ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍‌ -ଭିଏଲଟିଡି ଓ ପାନିକ୍ ବଟନ୍ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି । ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜିକରଣ ହୋଇଛି, ସେହି ମାଲିକମାନେ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ ଲଗାଇବାକୁ ବାଧ୍ୟ ।

ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍ , ଶିକ୍ଷାନୁଷ୍ଠାନ ବସ୍ , ଆମ୍ବୁଲାନ୍ସ, ସବୁ ପ୍ରକାରର କ୍ୟାବ୍ , ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ଲାଗିବ ।

ଅକ୍ଟୋବର ୧ ତାରିଖ ବା ପରେ ଯେଉଁ ନୂଆ ଗାଡ଼ିଗୁଡ଼ିକ ପଞ୍ଜିକରଣ ପାଇଁ ଭିଏଲଟିଡି ଡିଭାଇସ୍ ଲଗାଇବା ଜରୁରୀ । ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତମାସ ୩୦ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗେ, ତା’ହେଲେ ସମ୍ପୃକ୍ତ ଗାଡ଼ିକୁ ଫିଟନେସ, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି ସୁବିଧା ମିଳିବ ନାହିଁ ।

Comments are closed.