ଆଜିଠୁ ସାରାରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସଚେତନତା କାର୍ଯ୍ୟକ୍ରମ  

ଭୁବନେଶ୍ୱର – ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ । ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ । ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ । ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଅନ୍ୟପକ୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ରେସନକାର୍ଡ ହିତାଧିକାରୀ ପରିବାରର, ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟ ସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟେକ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତମାସ ୩୧ ତାରିଖଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Comments are closed.