ଭିଜିଲାନ୍ସ ଜାଲରେ ଓଏସଡବ୍ଲୁସି ଗୋଦାମ ଅଧୀକ୍ଷକ, ମିଳିଲା ପୁଳା ପୁଳା ଟଙ୍କା 

ଭୁବନେଶ୍ୱର – ଭିଜିଲାନ୍ସ କବଜାରେ ଦୁଇ ଲାଞ୍ଚୁଆ ସରକାରୀ କର୍ମଚାରୀ। ୨ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଓଏସଡବ୍ଲୁସିର ପୁରୀ ଜିଲ୍ଲା ନିମାପଡ଼ା ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି। ୨ ଲକ୍ଷ ୧୪ ହଜାର ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଛି ଭିଜିଲାନ୍ସ । ନିମାପଡ଼ାରେ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ୨ ଲକ୍ଷ ୧୪ ହଜାର ଟଙ୍କା ତାଙ୍କଠାରୁ ପାଇଥିଲା । ଅଧିକ ଖାନତଲାସୀ ପରେ ତାଙ୍କଠାରୁ ଆହୁରି ୫୯ ହଜାର ୬୧୦ ଟଙ୍କା ମିଳିଥିଲା । ଏହାପରେ ଭୁବନେଶ୍ୱର ୟୁନିଟ ୮ ସ୍ଥିତ ତାଙ୍କର ଆବାସିକ କ୍ୱାର୍ଟରରେ ଖାନତଲାସୀ କରି ଭିଜିଲାନ୍ସ ଟିମ୍ ୧ ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ କରିଥିଲା । ଦେବୀ ପ୍ରସାଦ ମହାନ୍ତିଙ୍କ ଠାରୁ ମୋଟ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ଏସବୁ ଟଙ୍କାର ଉତ୍ସ ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଦେବୀପ୍ରସାଦ। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ଠିକଣାରେ ଚଢ଼ାଉ ଚାଲିଛି।

ଏଣେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ – ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ କମଳାକାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି। ମନରେଗା ଯୋଜନା ସମ୍ପର୍କିତ କାର୍ଯ୍ୟ ପାଇଁ ଜଣେ ହିତାଧିକାରୀଙ୍କୁ କମଳାକାନ୍ତ ପ୍ରଧାନଙ୍କ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଛି । ପ୍ରଧାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

Comments are closed.