ଉପନିର୍ବାଚନ ଫଳାଫଳ: ‘ଇଣ୍ଡିଆ’ ମେଣ୍ଟକୁ ୪ଟି ଆସନ, ବିଜେପିକୁ ୩

ନୂଆଦିଲ୍ଲୀ: ଛଅଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଶୁକ୍ରବାର ଘୋଷଣା ହୋଇଛି । ଏହି ୭ ଆସନ ହେଉଛି ଝାଡଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ଧନପୁର, ବକ୍ସନଗର, ୟୁପିର ଘୋଷୀ, ଉତ୍ତରାଖଣ୍ଡର ବାଗେଶ୍ୱର ଏବଂ ପଶ୍ଚିମବଙ୍ଗର ଧୁପଗୁଡି ‌।

୭ଟି ଆସନ ମଧ୍ୟରୁ ବିଜେପି ତିନିଟି ଜିତିଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ଟିରେ ବାଜି ମାରିଛନ୍ତି । ସମାଜବାଦୀ ପାର୍ଟି, କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ଗୋଟିଏ ଲେଖାଏଁ ଆସନ ପାଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଜେଏମଏମ ପ୍ରାର୍ଥୀ ବେବି ଦେବୀ ଡୁମରୀ ଆସନରୁ ଜିତିଛନ୍ତି। ସେ ଝାଡଖଣ୍ଡ ଛାତ୍ର ସଂଘ (ଏଜେଏସୟୁ) ର ପ୍ରାର୍ଥୀ ଯଶୋଦା ଦେବୀଙ୍କୁ ୧୭ ହଜାର ୧୫୩ ଭୋଟରେ ପରାସ୍ତ କରିଛନ୍ତି |

ତ୍ରିପୁରାର ଧନପୁର ଓ ବକ୍ସନଗର ଆସନ ଉପନିର୍ବାଚନରେ ବିଜେପି ବାଜି ମାରିଛି। ବକ୍ସନଗରରେ ତଫଜଲ ହୁସେନ୍ ଜିତିଥିବାବେଳେ ଧନୁପୁରରୁ ବିନ୍ଦୁ ଦେବନାଥ ବିଜୟ ହାସଲ କରିଛନ୍ତି ।

ବକ୍ସନଗରରେ ତାଫାଜଲ ହୁସେନ୍ ସିପିଏମର ମିଜାନ୍ ହୁସେନଙ୍କୁ ପରାସ୍ତ କରିଥିଲେ । ଧନପୁର ଆସନରେ ବିଜେପିର ବିନ୍ଦୁ ଦେବନାଥ ସିପିଏମ୍‌ର କୈଶିକ ଚନ୍ଦାଙ୍କୁ ହରାଇଛନ୍ତି ।

କେରଳର ପୁଥୁପଲ୍ଲିରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚାଣ୍ଡି ଓମେନ ୩୭ ହଜାର ୭୧୯ ଭୋଟରେ ସିପିଆଇର ଜ୍ୟାକ୍ ସି ଥୋମାସଙ୍କୁ ହରାଇ ଦେଇଛନ୍ତି |

ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଉତ୍ତର ପ୍ରଦେଶର ଘୋସି ଆସନରେ ବାଜି ମାରିନେଇଛି। ଏସପିର ସୁଧାକର ସିଂ ଏଠାରୁ ବିଜେପି ପ୍ରାର୍ଥୀ ଦାରା ସିଂ ଚୌହାନଙ୍କୁ ୪୨ ହଜାର ୭୫୯ ଭୋଟରେ ହରାଇଛନ୍ତି ‌ ।

୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଟିକେଟ୍ ରେ ଏହି ଆସନରୁ ଜିତିଥିବା ଦାରା ସିଂ ଚୌହାନ ଜୁଲାଇରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ପଶ୍ଚିମବଙ୍ଗରେ ବି ବିଜେପିକୁ ଝଟକା ଲାଗିଛି। ଦଳ‌ ରାଜ୍ୟର ଧୁପଗୁଡି ଆସନ ହରାଇଛି । ଏଠାରେ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ୪୩୦୯ ଭୋଟ ବ୍ୟବଧାନରେ ବିଜେପିର ତାପସୀ ରୟଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ଉତ୍ତରାଖଣ୍ଡର ବାଗେଶ୍ୱର ଆସନ ଉପନିର୍ବାଚନରେ ବିଜେପିର ପାର୍ବତୀ ଦାସ କଂଗ୍ରେସର ବସନ୍ତ କୁମାରଙ୍କୁ ହରାଇଛନ୍ତି ।

Comments are closed.