ଆଜିଠୁ ଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ବିଶ୍ବର ୨୦ ବୃହତ୍ ଅର୍ଥନୈତିକ ବ୍ୟବସ୍ଥା ଥିବା ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଜି-୨୦ର ଦୁଇ ଦିନିଆ ଶିଖର ସମ୍ମିଳନୀ ଆଜି ଦିଲ୍ଲୀରେ ଆରମ୍ଭ ହେଉଛି । ଏଥିପାଇଁ ଜାତୀୟ ରାଜଧାନୀରେ ବିଶ୍ଵନେତାଙ୍କ ସମାଗମ ହୋଇଛି । ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ସମଗ୍ର ବିଶ୍ୱରେ ଏକ ଶକ୍ତି ଭାବେ ଭାରତର ମାନ୍ୟତା ବୃଦ୍ଧି କରିଛି। ପ୍ରଥମ ଥର ଭାରତରେ ହେଉଥିବା ଜି -୨୦ ସମ୍ମିଳନୀର ଏଥର ଶୀର୍ଷକ ରଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ । ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରୁ ଜି-୨୦ ଶିଖର ସମ୍ମିଳନୀର ଶୁଭାରମ୍ଭ ହେବ। ସଭାର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩:୪୫ ରୁ ୪:୪୫ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଐତିହାସିକ ପ୍ରଗତି ମଇଦାନରେ ‘ଭାରତ ମଣ୍ଡପମ୍’ ନିର୍ମାଣ କରାଯାଇଛି, ଯେଉଁଠି ଭାରତର ସଂସ୍କୃତି ଏବଂ ଐତିହ୍ୟ ବ୍ୟତୀତ ଆଧୁନିକ ଭାରତର ଝଲକ ଦେଖିବାକୁ ମିଳିବ ।

ବିଶ୍ୱର ସବୁଠୁ ବଡ ଫୋରମ୍ ମଧ୍ୟରୁ ଅନ୍ୟତମ ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ବର ଅନେକ ମହାଶକ୍ତି ଭାରତରେ ଏକାଠି ହୋଇଛନ୍ତି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ ‌। ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବାଇଡେନ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି ।

ଭାରତ ପ୍ରଥମ ଥର ପାଇଁ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ତେବେ ଏଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ଏହି ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ତରଫରୁ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏବଂ ରୁଷର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ କରିବେ।

ଜି -୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ରାଷ୍ଟ୍ର ହେଲେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ବ୍ରିଟେନ, ଜାପାନ, ସାଉଦି ଆରବ, କୋରିଆ, ଇଜିପ୍ଟ, ଅଷ୍ଟ୍ରେଲିଆ, ଆମେରିକା, କାନାଡା, ଚୀନ୍, ୟୁଏଇ, ବ୍ରାଜିଲ, ଇଣ୍ଡୋନେସିଆ, ତୁର୍କୀ ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ମେକ୍ସିକୋ, ୟୁରୋପୀୟ ୟୁନିଅନ୍, ସିଙ୍ଗାପୁର, ନାଇଜେରିଆ, ଆର୍ଜେଣ୍ଟିନା, ଇଟାଲୀ । ଏଥର ଆଫ୍ରିକୀୟ ସଂଘକୁ ବିଶେଷ ଆମନ୍ତ୍ରଣ କରାଯାଇଛି ।

Comments are closed.