ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଆଉ ଜଣେ ଶିକ୍ଷୟିତ୍ରୀ ବିଦା

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ଏନ୍.ବି.ବିଦ୍ୟାପୀଠର ଠିକା କନିଷ୍ଠ ଶିକ୍ଷୟିତ୍ରୀ ମନ୍ଦାକିନୀ ନାହାକଙ୍କୁ ବହିଷ୍କାର କରାଯାଇଛି। ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ୨୦୧୨ ମସିହାରେ ଚାକିରିରେ ଯୋଗ ଦେଇଥିଲେ ମନ୍ଦାକିନୀ ନାହାକ। ସେତେବେଳେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଜାଲ୍ ସାର୍ଟିଫିକେଟ ଦେଇଥିଲେ। ଯୁକ୍ତ ଦୁଇ ପାସ୍ କରି ନଥିଲେ ମଧ୍ୟ ନକଲି ସାର୍ଟିଫିକେଟ୍ ଓ ମାର୍କସିଟ୍ ଦାଖଲ କରିଥିଲେ।

ମନ୍ଦାକିନୀ ନାହାକ ଓଟିଇଟି ପାସ୍ କରିବା ପରେ ଚାକିରି ନିୟମିତ ପାଇଁ ଆବେଦନ କରିଥିଲେ। ତାଙ୍କର ସବୁ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା ବେଳେ ତାଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ ଜାଲ୍ ବୋଲି ଜଣାପଡିଥିଲା । ଏହା ପରେ ତାଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ମନ୍ଦାକିନୀ ଏବେ ଫେରାର ହୋଇଯାଇଥିବା ଜଣାଯାଇଛି।

Comments are closed.