ପୁଣି ବର୍ଷା ବାଧକ: ରିଜର୍ଭ ଦିବସକୁ ଗଲା ଭାରତ-ପାକ୍ ମ୍ୟାଚ୍

କଲମ୍ବୋ: ଏସିଆ କପର ରବିବାର ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ୍ ପୁଣି ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ବର୍ଷା ଏବଂ ଓଦା ଆଉଟଫିଲ୍ଡ କାରଣରୁ ରବିବାର ମ୍ୟାଚ୍ ଶେଷ ହୋଇପାରି ନାହିଁ। ଏହି ମ୍ୟାଚ୍ ରିଜର୍ଭ ଦିବସ ଅର୍ଥାତ ସୋମବାର ଖେଳାଯିବ | ମ୍ୟାଚ୍ ଯେଉଁଠି ବନ୍ଦ ହୋଇଥିଲା ସେଠାରୁ ଆରମ୍ଭ ହେବ। ଖେଳ ବନ୍ଦ ହେବା ବେଳକୁ ଭାରତ ୨୪.୧ ଓଭରରେ ଦୁଇ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଭାରତ ସୋମବାର ଏହି ସ୍କୋରରୁ ଆଗକୁ ଖେଳିବ |

ମ୍ୟାଚ୍ ବନ୍ଦ ହେବା ବେଳକୁ ବିରାଟ କୋହଲି ୮ ଓ କେଏଲ ରାହୁଲ ୧୭ ରନ୍ କରି ଅପରାଜିତ ଥିଲେ । ଏହା ପୂର୍ବରୁ ଶୁଭମାନ ଗିଲ୍ ଓ ଅଧିନାୟକ ରୋହିତ ଶର୍ମା ଭାରତକୁ ବଢିଆ ଷ୍ଟାର୍ଟ ଦେଇଥିଲେ । ଶୁଭମାନ ଗିଲ ୫୮ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ଶାହିନ୍ ଶାହ ଆଫ୍ରିଦି ଶାଦାବ ଖାନଙ୍କ ହାତରେ କ୍ୟାଚ୍ ଆଉଟ୍ କରିଥିଲେ। ରୋହିତ ଶର୍ମା ୫୬ ରନ୍ କରି ଶାଦାବ ଖାନଙ୍କ ବଲରେ ଫହିମ ଅଶ୍ରଫଙ୍କୁ କ୍ୟାଚ୍ ଦେଇଥିଲେ ।

ଗିଲ୍ ତାଙ୍କ ଦିନିକିଆ କ୍ୟାରିୟରର ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ | ଗିଲ୍ ୫୨ ବଲ୍ ଖେଳି ୧୦ଟି ଚୌକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଶାଦାବ ଖାନଙ୍କ ବଲରେ ମିଡୱିକେଟ୍ ଉପରେ ଏକ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୪୯ ବଲରେ ୫୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ରୋହିତଙ୍କ ଇନିଂସରେ ୬ଟି ଚୌକା ଓ ୪ଟି ଛକା ସାମିଲ ଥିଲା ।

ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍ ଭାରତକୁ ଦ୍ରୁତ ଆରମ୍ଭ କରିଥିଲେ। ଉଭୟ ନିଜେ ପ୍ରଥମ ପାୱାରପ୍ଲେରେ ଏକ ପଚାଶ ଭାଗିଦାରୀ କରିଥିଲେ | ପାୱାରପ୍ଲେ ପରେ ରୋହିତ ଶର୍ମା ଶାଦବ ଖାନଙ୍କ ବିପକ୍ଷରେ ୩ଟି ଛକା ଓ ଏକ ଚୌକା ମାରିଥିଲେ। ।

ରୋହିତ ଓ ଶୁଭମାନ ପ୍ରଥମ ଓ୍ବିକେଟରେ ୧୨୧ ରନ୍ ଭାଗିଦାରୀ କରି ଭାରତକୁ ମଜବୁତ ମୂଳଦୁଆ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ଗିଲ୍-ରୋହିତଙ୍କ ଏହା ଲଗାତାର ଦ୍ବିତୀୟ ଶତକୀୟ ଭାଗିଦାରୀ ଥିଲା । ଗତ ମ୍ୟାଚରେ ଏହି ଓପନିଂ ଯୋଡ଼ି ନେପାଳ ବିପକ୍ଷରେ ୧୪୭ ରନର ଭାଗିଦାରୀ କରିଥିଲେ। ରୋହିତ-ଗିଲ୍ ଦିନିକିଆରେ ପଞ୍ଚମ ଥର ଶତକୀୟ ଭାଗିଦାରୀ କରିଛନ୍ତି |

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଶୁଭମାନ ଗିଲ୍ ପାକିସ୍ତାନର ପ୍ରମୁଖ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ଟିମ୍ ଇଣ୍ଡିଆକୁ ଦ୍ରୁତ ଆରମ୍ଭ ଦେଇଥିଲେ । ରୋହିତ ମଧ୍ୟ ପ୍ରଥମ ଓଭରରେ ଶାହିନ୍ ଆଫ୍ରିଦିଙ୍କ ବଲରେ ଛକା ମାରିଥିଲେ। ଶାହିନଙ୍କ ୨ ଓଭରରେ ଗିଲ ୩-୩ ଚୌକା ମାରିଥିଲେ। ଭାରତ ୧୦ ଓଭର ବେଳକୁ ୬୧ ରନ୍ କରିଦେଇଥିଲା।

ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ମ୍ୟାଚ୍ ଖେଳୁ ନାହାଁନ୍ତି। ତାଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ସୁଯୋଗ ଦିଆଯାଇଛି। ମହମ୍ମଦ ଶାମିଙ୍କ ସ୍ଥାନରେ ଜସପ୍ରୀତ ବୁମରା ସାମିଲ ହୋଇଛନ୍ତି।

Comments are closed.