ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ପପ୍ରେସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଚାକିରି ନିଶା ଛାଡି ଉଦ୍ୟୋଗୀ ହେବା ପାଇଁ ଆହ୍ୱାନ

ଭୁବନେଶ୍ୱର – ଉଚ୍ଚଶିକ୍ଷିତ ହେବା ପରେ ଚାକିରି ନିଶା ଛାଡି ଉଦ୍ୟୋଗୀ ହୋଇ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦିଅ । ନୂଆ ଉପାୟ ସହିତ ନିଜର ଷ୍ଟାର୍ଟ୍ ଅପ୍ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।

୨ ଶହ କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ ସାରା ଓଡ଼ିଶା ବୁଲିବ । ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖିଛି ଏମ୍ଏସ୍ଏମ୍ଇ ବିଭାଗ । ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ତର୍ଜମା କରି ସର୍ଟଲିଷ୍ଟ କରିବ । ୬୦ଟି ବୁଟ୍ କ୍ୟାମ୍ପ୍ ଜରିଆରେ ଚୟନ ହେବେ ଉଦ୍ୟୋଗୀ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବରେ ଇନକ୍ୟୁବେସନ୍ ପାଇଁ ଅଣାଯିବ ।

କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ବାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ଷ୍ଟାର୍ଟ୍ ଅପ୍ ଓଡ଼ିଶା ଗଠନର ମାତ୍ର ଅଢେଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହା ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ଓ-ହବ୍ କର୍ତ୍ତୃପକ୍ଷ ।

Comments are closed.