ଏନ୍ଏଚ୍ ନିର୍ମାଣରେ ବିଳମ୍ବ ପ୍ରତିବାଦରେ ରେଢ଼ାଖୋଲରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁରରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମରେ ଅହେତୁକ ବିଳମ୍ବ ପାଇଁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଅଧାପନ୍ତରିଆ ନିର୍ମାଣ ପାଇଁ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତି ବି ହେଉନାହିଁ। ଏହାର ପ୍ରତିବାଦରେ ଗତକାଲି ଢେଙ୍କାନାଳରେ ରାସ୍ତାରୋକ ହୋଇଥିବା ବେଳେ ଆଜି ରେଢ଼ାଖୋଲରେ ରାସ୍ତାରୋକ କରାଯାଇଛି।

ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଆଜକୁ ୭ ବର୍ଷ ତଳେ ଆରମ୍ଭ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ବି ଏହାର ୪୦ ପ୍ରତିଶତ କାମ ବାକି ରହିଛି। ଏହାର ଡେଡଲାଇନ ଇତିମଧ୍ୟରେ ୫ଥର ବଢାଯାଇଛି। ତଥାପି ସରିବାର ନାଁ ନେଉନି। ସେପଟେ ଅଧାପନ୍ତରିଆ କାମ ପାଇଁ ପୁରୁଣା ରାସ୍ତା ବି ବର୍ଷ ବର୍ଷ ଧରି ମରଣଯନ୍ତାରେ ପରିଣତ ହୋଇଛି। ଫଳରେ ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନୀ ହେଉଛି। ଏହାର ନିର୍ମାଣ ଶେଷ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦେଉଥିବା ବାରମ୍ବାର ପ୍ରତିଶ୍ରୁତି ବି ଫସର ଫାଟୁଛି। ଫଳରେ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଉଗ୍ର ରୂପ ନେବାରେ ଲାଗିଛି। ଏହାର ପ୍ରତିବାଦରେ ଗତକାଲି ଢେଙ୍କାନାଳରେ ରାସ୍ତାରୋକ ହୋଇଥିବା ବେଳେ ଆଜି ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି। ରେଢ଼ାଖୋଲ ସହର ମଧ୍ଯ ଦେଇ ଯାଇଥିବା ରାସ୍ତା ଅବରୋଧ ଫଳରେ ଉଭୟ ପଟରେ ଶହ ଶହ ସଂଖ୍ଯାରେ ଯାନବାହନ ଅଟକି ରହିଛି।

Comments are closed.