ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଅପହରଣ କରି ଟଙ୍କା ମାଗିବା ମାମଲାରେ ୪ ଗିରଫ

ଭୁବନେଶ୍ୱର – ଚିକିତ୍ସା ପାଇଁ ଘରକୁ ଡାକି ଡାକ୍ତରଙ୍କୁ ଅପହରଣ କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା। ଡାକ୍ତରଙ୍କୁ ଅପହରଣ କରିବା ପରେ ତାଙ୍କୁ ଛାଡ଼ିବା ପାଇଁ ୨୫ ଲକ୍ଷ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ତଥାକଥିତ ଲେଡି ଡନ୍ ସାମିଲ ଅଛି । ତମାଣ୍ଡୋ ପୋଲିସ ଏହି ମାମଲାରେ ଲେଡି ଡନ୍ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି |

ଗତ ୮ ତାରିଖରେ ଏହି ୪ ଜଣ ଜଣେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଘରକୁ ଡାକି ଅପହରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।ଇରାନୀ ନିଜର ଦେହ ଖରାପ ଥିବାର ଡାକ୍ତରଙ୍କୁ ଘରକୁ ଡାକିଥିଲେ । ଡାକ୍ତର ଜଣକ ଆସିବା ପରେ ତାଙ୍କୁ ଏମାନେ ବନ୍ଧକ ରଖି ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିଥିଲେ | ୨୫ ଲକ୍ଷ ଟଙ୍କା ନ ଦେଲେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ । ଏହାପରେ ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ | ଏହି ଅପରାଧୀମାନେ ଡାକ୍ତରଙ୍କୁ ଧମକ ଦେଇ ଅନଲାଇନ ପେମେଂଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ | ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ | ଏବାବଦରେ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ |

Comments are closed.