ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଉପଲକ୍ଷେ ଠାକୁର ମାନେ ହେଉଥିବା ବେଶ ମଧ୍ୟରୁ “କୃଷ୍ଣ ବଳରାମ ବେଶ” ହେଉଛି ଚତୁର୍ଥ ଓ ଶେଷ ବେଶ। ଏହି ବେଶର ଆରମ୍ଭ ବେଶୀ ପୁରୁଣା ନୁହେଁ। ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ବିଂଶ ଶତାବ୍ଦୀ ର ମଧ୍ୟଭାଗରେ ଏହି ବେଶ ଖଣ୍ଡସାହି ର ଜମିଦାର ଙ୍କ ଦ୍ଵାରା କରାଯାଇଥିଲା। ନାମରୁ ସ୍ପଷ୍ଟ ବୁଝି ହେଉଛି ଯେ ଏଥିରେ ଜଗନ୍ନାଥ ଙ୍କୁ କୃଷ୍ଣ ରୂପରେ, ବଳଭଦ୍ର ଙ୍କୁ ବଳରାମ ରୂପରେ ବେଶ କରାଯାଏ।
ଏହି କୃଷ୍ଣ ବଳରାମ ବେଶ ର ବର୍ଣ୍ଣନା ଆରମ୍ଭ କରିବା ଶ୍ରୀପୟରରୁ। କୃଷ୍ଣବଳରାମ ବେନିଭାଇ ଛନ୍ଦା ଚରଣ ରେ ଦର୍ଶନ ଦିଅନ୍ତି। କୃଷ୍ଣ ବେଶରେ ଜଗନ୍ନାଥ ଗୋଟିଏ ହସ୍ତରେ ବଂଶୀ ଧାରଣ କରିବା ସହ ଅନ୍ୟ ହସ୍ତରେ ପୂର୍ଣ୍ଣ ପ୍ରସ୍ଫୁଟିତ ପଦ୍ମ ଧାରଣ କରନ୍ତି। ସେହିପରି ବଳଭଦ୍ର ମଧ୍ୟ ଗୋଟିଏ ହସ୍ତରେ ଶିଙ୍ଗା ଓ ଅନ୍ୟ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ଧାରଣ କରିଥାନ୍ତି। ଉଭୟଙ୍କ ମସ୍ତକରେ ବାଙ୍କଚୂଳ କିରୀଟ ଓ ତା ଉପରେ ସୋଲ ନିର୍ମିତ କଦମ୍ବ ଫୁଲ ଶୋଭାପାଏ। ପ୍ରଭୁ ଆପାଦମସ୍ତକ ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି।
ଏହି ବେଶରେ ମା ସୁଭଦ୍ରାଙ୍କ ଅପରୂପ ଶୋଭା ମଧ୍ୟ ମନ ମୋହିନିଏ। କୃଷ୍ଣ ବଳରାମ ଙ୍କ ର ଦୁଇ ଦୁଇ ଟି ହସ୍ତ ଥିବାବେଳେ ମା ସୁଭଦ୍ରାଙ୍କର ଚାରୋଟି ହସ୍ତ ଯୋଗ ହୋଇଥାଏ। ଏହି ଗୋଟିଏ ବେଶ ଯେଉଁଥିରେ ସୁଭଦ୍ରାଙ୍କୁ ଚାରୋଟି ହସ୍ତରେ ଦର୍ଶନ କରି ହୁଏ। ତିନି ଠାକୁର ରତ୍ନସିଂହାସନ ଉପରେ ଖଞ୍ଜା ଯାଇ ଜରି ଜମ୍ଵୁରା ରେ ଆଚ୍ଛାଦିତ କାଷ୍ଠ ନିର୍ମିତ ସିଂହାସନ ରେ ଉପବିଷ୍ଟ ହୋଇଥାନ୍ତି। ଦୁଇ ଭାଇ ଛନ୍ଦାଚରଣ ବସୁଥିବା ବେଳେ ସୁଭଦ୍ରା ଚକା ପକାଇବା ଭଳି ବସିଥାନ୍ତି। ଏହି ବେଶ ମଧ୍ୟ ଦ୍ଵିପହର ଧୂପ ପରେ ହୁଏ। ଆଉ ଏହି ବେଶ ଥାଇ ସନ୍ଧ୍ୟା ଧୂପ ବଢେ।
ଇତିହାସ କୁହେ ପୂର୍ବରୁ ଏହିଦିନ ଜଗନ୍ନାଥ ଙ୍କୁ ଗିରି ଗୋବର୍ଦ୍ଧନ ବେଶରେ ସଜ୍ଜିତ କରାଯାଉଥିଲା। ଏହିବେଶ ର ସମସ୍ତ ଭାର ପୁରୀ ବଡ଼ ଓଡ଼ିଆ ମଠ ବହନ କରୁଥିଲେ। କିନ୍ତୁ ଦେଖାଗଲାଶ୍ରୀ ଜୀଉ ଙ୍କ ଏହି ବେଶ ଦିନ ଅନେକ ବିତ୍ପାତ ସଂଗଠିତ ହେଲା।ତେଣୁ ଉକ୍ତ ଗିରିଗୋବର୍ଦ୍ଧନ ବେଶ ବନ୍ଦ କରାଯାଇ ପ୍ରତିବଦଳରେ କୃଷ୍ଣ ବଳରାମ ବେଶ ପ୍ରଚଳନ କରାଗଲା।ଯାହା ଅଦ୍ୟାବଧି ଅନୁଷ୍ଠିତ ହୋଇ ଆସୁଛି।
Comments are closed.