ସିଏମଓ ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ୫-ଟି ସଚିବଙ୍କ ସମୀକ୍ଷା

ଭୁବନେଶ୍ବର – ଜନ ଶୁଣାଣିରେ ଆସିଥିବା ଅଭିଯୋଗର ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ -ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ସମସ୍ୟା ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ୫-ଟି ସଚିବ । ପାନୀୟ ଜଳ ପ୍ରକଳ୍ପ, ମଠ, ମନ୍ଦିର, ମସଜିଦର ଉନ୍ନତିକରଣ , ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ , ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟକାରିତା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଗତ ୬ ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ୩୦ଟି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହିତ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ । ମୋଟ ୫୭ ହଜାର ୮୫ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୩୭ ହଜାର ୫୧୩ଟି ବା ୬୫ ଦଶମିକ ୭୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କଠୁ ଫିଡବ୍ୟାକ ନେଉଛି ସିଏମଓ । ୨୪ ହଜାର ୭୨୨ ଲୋକଙ୍କୁ ସରକାର ଚିଠି ଲେଖି ଫିଡବ୍ୟାକ ନେଇଥିବାବେଳେ ୨୨ ହଜାର ୪୦୭ ଜଣଙ୍କଠୁ ଫୋନ ଯୋଗେ ପ୍ରତିକ୍ରିୟା ନିଆଯାଇଛି । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଧାର୍ମିକ ପୀଠର ରୂପାନ୍ତରଣ ଓ ୫-ଟି ଉପକ୍ରମରେ କଲେଜର ନବକଳେବର ନେଇ ଆଲୋଚନା କରାଯାଇଛି । ଗୁଣବତ୍ତାକୁ ଆଧାର କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ସବୁ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି ।

Comments are closed.