ଲଘୁଚାପ ଜନିତ ବର୍ଷା ଜାରି, ରାଜ୍ୟରେ ବନ୍ୟା ଆଶଙ୍କାକୁ ଅସ୍ୱୀକାର କଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଆସନ୍ତାକାଲି ଓ ଶନିବାର ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଗାଣ ବର୍ଷାରେ କୋରାପୁଟ, ମାଲକାନଗିରି ଓ ବଲାଙ୍ଗୀର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ବୁଧବାର ଅପରାହ୍ନରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଏଣେ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳ‌ସ୍ତର ବଢ଼ିବାରେ ଲାଗିଛି। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତେବେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । କେବଳ ନଦୀରେ ପାଣି ଆସିବ ବୋଲି ସେ କହିଛନ୍ତି। ହାରାହାରି ୩୭ ମିମି ବର୍ଷା ହୋଇଛି । ତଳମୁଣ୍ଡରେ ବର୍ଷା ନାହିଁ ।

ବଂଶଧାରା, ଇନ୍ଦ୍ରାବତୀରେ ଭଲ ବର୍ଷା ହୋଇଛି, ଯାହା ଜଳଭଣ୍ଡାର ଅଭାବକୁ ପୂରଣ କରିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Comments are closed.