ସପ୍ତପୁରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ କରାଯାଇଛି ।

ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ କୁମ୍ଭକାର ମାନେ ନୂତନବସ୍ତ୍ର ପରିଧାନକରି ସାତପୁରି ଘେନାଣ ନିମନ୍ତେ ଶ୍ରୀମନ୍ଦିରରୁ ଘଣ୍ଟଛତା କାହାଳୀ ସହିତ ଅଠରନଳା ସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଆସିଥିଲେ । ସେଠାରେ ପୂର୍ବରୁ କୁମ୍ଭକାର ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚାରିଗୋଟି ତାଡ଼ ମାଙ୍କ ନିକଟରେ ରଖା ଯାଇଥିଲା । କୁମ୍ଭକାର ନିଯୋଗର ଇଷ୍ଟଦେବୀ ମା ଅଲାମଚଣ୍ଡିଙ୍କୁ ଶୀତଳଭୋଗ ମଣୋହୀ କରାଯିବା ପରେ କୁମ୍ଭକାର ସେବକ ମାନେ ମାଙ୍କ ନିକଟରେ ଥିବା ଚାରିଗୋଟି ତାଡ଼କୁ ବନ୍ଦାପନା କରିଥିଲେ ।

ବନ୍ଦାପନା ସମ୍ପନ୍ନ ହେବା ପରେ ବିଜେକାହାଳୀ ବାଜି ତାଡ଼ଗୁଡିକ ଶ୍ରୀମନ୍ଦିରକୁ ବିଜେ ଯାଇଥିଲା ।ପରମ୍ପରା ଅନୁସାରେ ବଡ଼ଠାକୁର ବଳଭଦ୍ର , ମା ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ଗୋଟିଏ ଲେଖାଏଁ ତାଡ଼ ସହ ଗୋଟିଏ ଅତିରିକ୍ତ ତାଡ଼ ଶ୍ରୀମନ୍ଦିରକୁ ବିଜେ ହୋଇଥାଏ ।

କୁମ୍ଭକାର ସେବକମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣ ଠାରେ ରଖାଯାଇଥିଲା ।

ସଂଧ୍ୟାଧୂପ ପରେ ଜଣେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ଦକ୍ଷିଣକାଳୀ ମନ୍ଦିରକୁ ବିଜେ କରାଇଥିଲେ । ଦକ୍ଷିଣକାଳୀଙ୍କ ସେବକ ତାଙ୍କଠାରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିରଆସି ସିଂହଦ୍ବାର ଦେଇ ରୋଷଦ୍ବାର ବାହାର ପାଶେ ଆଜ୍ଞାମାଳ ରୋଷଆଡ଼େ ଦେଇଥିଲେ । ଏହାପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତି ବଢିଥିଲା

Comments are closed.