ଜିଦଖୋର ନିଜାମ ଓ ସର୍ଦ୍ଦାର ପଟେଲଙ୍କ ‘ଅପରେସନ ପୋଲୋ’

ସ୍ୱାଧୀନତା ପରେ ବି ଭାରତରେ ଏମିତି କିଛି ରାଜ୍ୟ ଥିଲେ, ଯେଉଁମାନେ କି ନିଜକୁ ସ୍ୱତନ୍ତ୍ର ଓ ସ୍ୱାଧୀନ ରାଜ୍ୟ ଭାବେ ଘୋଷଣା କରିଥିଲେ । ସେସବୁ ରାଜ୍ୟ ଭାରତରେ ମିଶିବାକୁ ଚାହୁଁନଥିଲେ । ସେହିଭଳି ଏକ ରାଜ୍ୟ ଥିଲା ନିଜାମ ଶାସିତ ମୁସଲିମ ବହୁଳ ହାଇଦ୍ରାବାଦ । ହାଇଦ୍ରାବାଦ ନିଜାମଙ୍କ ଉଗ୍ର ଭାରତ ବିରୋଧୀ ମନୋଭାବ ଓ ପାକିସ୍ତାନ ପ୍ରୀତି ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଥିଲା । କଥାବାର୍ତ୍ତା ମାଧ୍ୟମରେ ଭାରତ ସରକାର ଓ ହାଇଦ୍ରାବାଦ ନିଜାମଙ୍କ ମଧ୍ୟରେ ବିବାଦର ସମାଧାନ ହୋଇପାରିନଥିଲା । ତେଣୁ ବାଧ୍ୟ ହୋଇ ହାଇଦ୍ରାବାଦର ମିିଶ୍ରଣ ପାଇଁ ବଳପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁ ବଳପ୍ରୟୋଗ ସପକ୍ଷରେ ନଥିଲେ । କିନ୍ତୁ ହାଇଦ୍ରାବାଦ ଶାସକଙ୍କ ଉଗ୍ର ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବଳପ୍ରୟୋଗ ପାଇଁ ନିଷ୍ପତ୍ତି ନେଇଥିଲେ ।

ଆଜିର ତେଲେଙ୍ଗାନା ଓ କର୍ଣାଟକ ଏବଂ ମହାରାଷ୍ଟ୍ରର କିଛି ଅଞ୍ଚଳ ସେତେବେଳର ହାଇଦ୍ରାବାଦ ରାଜ୍ୟ ଥିଲା । ସପ୍ତମ ନିଜାମ ମୀର ଉସମାନ ଅଲ୍ଲୀ ଖାନ୍ ଭାରତରେ ହାଇଦ୍ରାବାଦର ମିଶ୍ରଣ ସପକ୍ଷରେ ନଥିଲେ । ସେ ମଧ୍ୟ ପାକିସ୍ତାନରେ ମିଶିବାକୁ ଚାହୁଁନଥିଲେ । ହାଇଦ୍ରାବାଦକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ରଖିବା ସପକ୍ଷରେ ଥିଲେ ନିଜାମ ମୀର ଉସମାନ । ୧୯୪୭ ମସିହା ଜୁନ୍ ୨୬ ତାରିଖରେ ହାଇଦ୍ରାବାଦ ନିଜାମ ଏ ସଂପର୍କରେ ଏକ ରାଜପତ୍ର ଜାରି କରିଥିବା ନେଇ ଐତିହାସିକ ଡକ୍ଟର ଏସ.ଏନ ପ୍ରସାଦଙ୍କ ପୁସ୍ତକ ‘ଅପରେସନ ପୋଲୋ – ଦି ପୋଲିସ ଆକସନ ଏଗନେଷ୍ଟ ହାଇଦ୍ରାବାଦ’ରେ ଉଲ୍ଲେଖ ରହିଛି । ଉଲ୍ଲେଖେଯାଗ୍ୟ ଯେ, ବ୍ରିଟିଶ ଶାସନାଧୀନ ସମୟରୁ ହିଁ ହାଇଦ୍ରାବାଦର ଅଲଗା ମୁଦ୍ରା, ନୋଟ୍‌, ଷ୍ଟାମ୍ପ ଓ ସ୍ୱତନ୍ତ୍ର ସେନା ରହିଥିଲା । ସ୍ୱାଧୀନ ଭାରତରେ ମିଶ୍ରଣ ପରିବର୍ତ୍ତେ ହାଇଦ୍ରାବାଦକୁ ଏକ ‘ଡୋମିନିୟନ ଷ୍ଟେଟ୍‌’ର ମାନ୍ୟତା ସହ ବ୍ରିଟିଶ ରାଜ୍ୟଗୋଷ୍ଠୀରେ ସାମିଲ ପାଇଁଁ ବ୍ରିଟେନକୁ ଅନୁରୋଧ କରିଥିଲେ ନିଜାମ । କିନ୍ତୁ ବ୍ରିଟିଶ ସରକାର ଭାରତର ନୂଆ ସରକାରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ । ଭାରତ ବ୍ୟାପାରରେ ଆଉ ମୁଣ୍ଡ ଖେଳାଇବାକୁ ଚାହୁଁ ନଥିଲା ବ୍ରିଟେନ । ତେଣୁ ହାଇଦ୍ରାବାଦ ନିଜାମଙ୍କ ଅନୁରୋଧ ପ୍ରତ୍ୟାଖ୍ୟାତ ହୋଇଥିଲା ।

ଭାରତରେ ହାଇଦ୍ରାବାଦର ମିଶ୍ରଣ ପାଇଁ ନିଜାମଙ୍କୁ ତିନିମାସ ଅଧିକ ସମୟ ଦିଆଯାଇଥିଲା । ୧୯୪୭ ମସିହା ସେପଟେମ୍ବର ୧୮ ତାରିଖରେ ହାଇଦ୍ରାବାଦ ନିଜାମ ଭାରତ ସହ ସଂପୃକ୍ତ ରହିବା ପାଇଁ ଇଚ୍ଛା ପ୍ରକାଶ କରି ଭାରତ ସରକାରଙ୍କୁ ଏକ ଚିଠି ଲେଖିଥିଲେ । କିନ୍ତୁ ଭାରତରେ ଆନୁଷ୍ଠାନିକ ଭାବେ ମିଶ୍ରଣ ହେଲେ ହାଇଦ୍ରାବାଦରେ ଅଶାନ୍ତି ଓ ରକ୍ତପାତ ସୃଷ୍ଟି ହୋଇପାରେ ବୋଲି ଚେତାବନୀ ବି ଦେଇଥିଲେ ନିଜାମ । ସେହିବର୍ଷ ଅକ୍ଟୋବର ୧୧ ତାରିଖରେ ହାଇଦ୍ରାବାଦ ନିଜାମ ‘ଷ୍ଟାଣ୍ଡଷ୍ଟିଲ୍ ରାଜିନାମା’ର ଚିଠା ସହ ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀ ପଠାଇଥିଲେ । ପ୍ରତିରକ୍ଷା ଓ ବର୍ହିବ୍ୟାପାର କ୍ଷମତା ସଂପୂର୍ଣ୍ଣ ଭାବେ ଦିଲ୍ଲୀକୁ ହସ୍ତାନ୍ତର ପାଇଁ ନିଜାମଙ୍କ ଚିଠା ପ୍ରସ୍ତାବରେ ଉଲ୍ଲେଖ ନଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହାକୁ ବିରୋଧ କରିଥିଲେ । ତେଣୁ ହାଇଦ୍ରାବାଦ ନିଜାମଙ୍କ ଷ୍ଟାଣ୍ଡଷ୍ଟିଲ୍ ରାଜିନାମାର ଚିଠାକୁ ସେ ଖାରଜ କରିଦେଇଥିଲେ । ଗୃହ ସଚିବ ଭି.ପି ମେନନଙ୍କ ଏକ ସଂଶୋଧିତ ରାଜିନାମା ଚିଠା ହାଇଦ୍ରାବାଦ ନିଜାମଙ୍କୁ ପଠାଇଥିଲେ । ନିଜାମଙ୍କ କାର୍ଯ୍ୟନିର୍ବାହୀ ପରିଷଦ ଭାରତ ସରକାରଙ୍କ ରାଜିନାମା ଚିଠା ପ୍ରସ୍ତାବକୁ ସଂଖ୍ୟାଗରିଷ୍ଠତାରେ ଗୃହୀତ କରିଥିଲା । କିନ୍ତୁ ଏଥିରେ ଦସ୍ତଖତ କରିବାରେ ବିଳମ୍ବ କରିଥିଲେ ନିଜାମ । କାରଣ ସେତେବେଳେ ହାଇଦ୍ରାବାଦରେ ମୁସଲିମ ଜାତୀୟତାବାଦୀ ପାର୍ଟି ମଜଲିସ୍ –ଇ-ଇତ୍ତେହଦୁଲ ମୁସଲିମିନ୍ ( ଏମଆଇଏମ ) ନିଜାମଙ୍କ ଉପରେ ଚାପ ପ୍ରୟୋଗ ଆରମ୍ଭ କରିଦେଇଥିଲା । ହାଇଦ୍ରାବାଦକୁ ଅଧିକ ସୁହାଇବା ଭଳି ଏକ ରାଜିନାମାରେ ସ୍ୱାକ୍ଷର କରିବାକୁ ଏମଆଇଏମ ନିଜାମଙ୍କୁ କହିଥିଲା । ଏମଆଇଏମ ନେତା କାସିମ ରିଜଭୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ନିଜାମ ନୂଆଦିଲ୍ଲୀ ସହ ଏକ ସଂଶୋଧିତ ରାଜିନାମାରେ ହିଁ ଦସ୍ତଖତ କରିବାକୁ ରାଜି ହେଲେ । ମୂଳ ରାଜିନାମା ଚିଠାରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା । ୧୯୪୭ ମସିହା ନଭେମ୍ବର ୨୯ ତାରିଖରେ ମାତ୍ର ଏକ ବର୍ଷ ପାଇଁ ଭାରତ ସରକାର ଓ ହାଇଦ୍ରାବାଦ ମଧ୍ୟରେ ଏକ ‘ଷ୍ଟାଣ୍ଡଷ୍ଟିଲ୍ ରାଜିନାମା’ ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ହାଇଦ୍ରାବାଦରେ ଭାରତୀୟ ସେନା ମୁତୟନ ହୋଇପାରିବେ ନାହିଁ ବୋଲି ରାଜିନାମାରେ ଉଲ୍ଲେଖ ଥିଲା । ହାଇଦ୍ରାବାଦରେ ଭାରତର ଏଜେଣ୍ଟ ଭାବେ ନିଯୁକ୍ତ ହୋଇଥିବା କେ.ଏମ ମୁନସୀ ଏହାକୁ ଏକ ଦୁର୍ବଳ ବିନ୍ଦୁ ବୋଲି ଅନୁଭବ କରିଥିଲେ । ସେନାର ଅନୁପସ୍ଥିତି ଦ୍ୱାରା ହାଇଦ୍ରାବାଦ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ହରାଇ ବସିବେ ବୋଲି ମୁନସୀ ମନେ କରିଥିଲେ । ହାଇଦ୍ରାବାଦର କଂଗ୍ରେସ ଦଳ ମଧ୍ୟ ଏଭଳି ବ୍ୟବସ୍ଥାକୁ ଦୁର୍ବଳତାର ସଙ୍କେତ ବୋଲି କହି ସମାଲୋଚନା କରିଥିଲେ ।

ଏଣେ ଏମଆଇଏମ ଇତ୍ତେହଦୁଲର ପ୍ରଭାବ ବୃଦ୍ଧି ପାଇଥିଲା । ଏହି ଦଳର ସକ୍ରିୟ ସମର୍ଥନରେ ପରିପୁଷ୍ଟ ହୋଇଥିଲା ଘରୋଇ ରଜକାର ସେନା । ଏମଆଇଏମ ଓ ରଜକାର ସେନା ନିଜାମଙ୍କୁ ସମର୍ଥନ କରିବା ସହ ଭାରତରେ ହାଇଦ୍ରାବାଦର ମିଶ୍ରଣକୁ ଜୋରଦାର ବିରୋଧ କରଥିଲେ । ରଜକାର ସେନା ହାଇଦ୍ରାବାଦର ଅଣମୁସଲିମ ଅଂଚଳରେ ଦଙ୍ଗା ଭିଆଇବା ଆରମ୍ଭ କରିଦେଇଥିଲେ । ଏଥିପ୍ରତି ଆଖି ବୁଜିଦେଇଥିଲେ ନିଜାମ ମୀର ଉସମାନ ଅଲ୍ଲୀ । ସେପଟେ ହାଇଦ୍ରାବାଦରେ ବାମପନ୍ଥୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଥିଲା । ଜମିଦାର ଓ ଦେଶମୁଖଙ୍କ ଅତ୍ୟାଚାର କବଳରୁ ମୁକ୍ତି ଚାହୁଁଥିଲେ ଲୋକେ । ଏସବୁ ପରିସ୍ଥିତି ନିଜାମଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । ଏମଆଇଏମ ଇତ୍ତେହଦୁଲ ପାର୍ଟିର ପ୍ରଭାବରେ ଆସି ଭାରତ ସହ ସ୍ୱାକ୍ଷରିତ ରାଜିନାମାର ଉଲ୍ଲଂଘନ କରିଚାରିଲେ ନିଜାମ । ତେବେ, ପାକିସ୍ତାନ ସହ ନିଜାମଙ୍କ ସଂପର୍କ ନୂଆଦିଲ୍ଲୀକୁ ଅଧିକ କ୍ଷୁବ୍ଧ କରିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜାମଙ୍କ କାର୍ଯ୍ୟକଳାପରେ ଦୁଃଖିତ ହୋଇଥିଲେ । ହାଇଦ୍ରାବାଦକୁ ଭାରତରେ ମିଶାଇବା ପାଇଁ ବଳ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲେ । ସାମରିକ ହସ୍ତକ୍ଷେପ ବିନା ହାଇଦ୍ରାବାଦ ନିଜାମ ଓ ଭାରତ ବିରୋଧୀ କାସିମ ରିଜଭୀଙ୍କୁ ଆୟତ୍ତ କରିବା ସମ୍ଭବ ନୁହେଁ ବୋଲି ହୃଦବୋଧ କରିଥିଲେ ଦୃଢମନା ପଟେଲ୍ । ଭାରତର ସମ୍ଭାବ୍ୟ ସେନା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେରିକା ଓ ଜାତିସଂଘକୁ ଚିଠି ଲେଖି ନିଜାମ ସହାୟତା ଲୋଡିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା ।

ହାଇଦ୍ରାବାଦକୁ ଭାରତ ନିୟନ୍ତ୍ରଣକୁ ଆଣିବା ପାଇଁ ୧୯୪୮ ମସିହା ସେପଟେମ୍ବର ୧୩ ତାରିଖରେ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ପୋଲୋ’ । ମେଜର ଜେନେରାଲ ଜେ.ଏନ ଚୌଧୁରୀଙ୍କ ନେତୃତ୍ୱରେ ହାଇଦ୍ରାବାଦରେ ପ୍ରବେଶ କରିଥିଲେ ୩୬ ହଜାର ଯବାନ । ଭାରତୀୟ ବାୟୁସେନା ପକ୍ଷରୁ କିଛି ଅଂଚଳରେ ବୋମାମାଡ ବି କରାଯାଇଥିଲା । ହାଇଦ୍ରାବାଦରେ ସେତେବେଳେ ଅଧିକ ପୋଲୋ ଗ୍ରାଉଣ୍ଡ ଥିବାରୁ ଭାରତୀୟ ସେନାର ଅଭିଯାନକୁ ‘ଅପରେସନ ପୋଲୋ’ ନାମ ଦିଆଯାଇଥିଲା । ଚାରିଦିନ ଧରି ଚାଲିଥିଲା ‘ଅପରେସନ ପୋଲୋ’ । ୧୦୮ ଘଂଟାର ଅପରେସନ ପରେ ୧୯୪୮ ମସିହା ସେପଟେମ୍ବର ୧୭ ତାରିଖରେ ହାର ମାନିଥିଲେ ନିଜାମ ଓ ରଜକାର ସେନା । ଭାରତର ପ୍ରଭୁତ୍ୱକୁ ସ୍ୱୀକାର କରିଥିଲେ ନିଜାମ । ଭାରତରେ ମିଶିଥିଲା ହାଇଦ୍ରାବାଦ । ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚକ୍ଷଣ ରଣନୀତି ଓ ସମୟୋଚିତ ପଦକ୍ଷେପ ଯୋଗୁଁ ହିଁ ଭାରତରେ ହାଇଦ୍ରାବାଦର ମିଶ୍ରଣ ସମ୍ଭବ ହୋଇପାରିଥିଲା ।

 

Comments are closed.