ଶ୍ରୀମନ୍ଦିରରେ କିପରି ପାଳିତ ହୋଇଥାଏ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା?

ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି l ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ l ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି l ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି lସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି l ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି l ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ l ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି l

ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି l ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜ ରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହାଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି l ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା ,କୁର୍ବନ୍ତିମାଳ ୩ମୂର୍ତ୍ତି କୁ ପତନୀ ଘୋଡେଇ ରଖିଥାନ୍ତି l ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ l ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି l ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀ ରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗ ରେ ସର୍ବାଙ୍ଗ ଲାଗି କରାଇଥାନ୍ତି l ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ , ଛତ୍ର , କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି l ଆଜି ଶ୍ରୀମନ୍ଦିରରେ ୨ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ l

ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପାର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ l ମୁଦିରସ୍ତ , ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ l ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି l ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି l ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ l

Comments are closed.