ଶ୍ରୀ ଶ୍ରୀ ଶ୍ରୀ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣୋଟତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ଚଳିତ ବର୍ଷ ଅ୬୭ଙ୍କ ସନ ୧୪୩୧ ସାଲ ପ୍ରବେଶ………
ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।
ସ୍ୱର୍ଣ୍ଣମୁଦ୍ରା ଲାଗିହୁଏ ! ପରିବାର ସେବକ ସତେଇଶିଟି ବିଭିହ୍ନ ଦେବଦେବୀଙ୍କ ଛବି ମୁଦ୍ରିତ ନୂତନ ସ୍ୱର୍ଣ୍ଣମୁଦ୍ରା ମହାରାଜାଙ୍କୁ ଦିଅନ୍ତି ! ମହାରାଜା ରାଜଗୁରୁଙ୍କୁ ଦେଲେ ରାଜଗୁରୁ ମହାରାଜାଙ୍କ ମସ୍ତକରେ ସେଗୁଡିକୁ ଉଲାଗି କରନ୍ତି ! ଏହା ପୂର୍ବରୁ ରାଜଗୁରୁ ବରୁଣପୂଜା , ନୃସିଂହ ପୂଜା, ସମ୍ପନ୍ନ କରିସାରିଥାନ୍ତି ! ରାଜ ରାଜୁଡା କାଳରେ ଏହିଦିନ ମହାରାଜାଙ୍କର ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ହେଉଥିଲା ! ତେଣୁ ଏହିଦିନଟି ଓଡିଆ(ଗଜପତି)ରାଜାଙ୍କ ଅଙ୍କ ସାଲ ପରିବର୍ତ୍ତନ ଦିବସ ! ଏହିଦିନ ମଧ୍ୟ ଓଡିଶାର ରାଜା ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ସନ ଗଣନା ଆରମ୍ଭ ହୁଏ ! ରାଜା ଜମିଦାର ମାନେ ସୁନିଆ ଦିନ ସିରସ୍ତା ପୂଜା କରନ୍ତି ! ପ୍ରଜାମାନେ ଜମିଦାରଙ୍କୁ ଭେଟି ବା ସଲାମୀ ଦିଅନ୍ତି ! ପୂର୍ବତନ ରାଜାଙ୍କର ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ବିଧି ଓ ରାଜତ୍ୱ କରୁଥିବା ରାଜାଙ୍କର ନୂଆ ଅଙ୍କ ପ୍ରଚଳିତ ହୁଏ ! ଏହି ବିଧିରୁ ଏହିଦିନକୁ ସୁନିଆ କୁହାଯାଏ !
ଓଡିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସ ଓ ଦିବସର ଗଣନା ସୌରମାସର ଗଣନା କ୍ରମେ ହୁଏ, କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରବ ମାସର ଦ୍ୱାଦଶୀ ଗଣନା କରାଯାଏ ! ଏହି ସୁନିଆ ପୂଜା ଓ ଗଣନା ଓଡିଆର ବିଶେଷତ୍ୱ ଏହିଠାରୁ ଓଡିଆମାନଙ୍କ ନବବର୍ଷ ଆରମ୍ଭ ! ରାଜା ଓ ଜମିଦାରମାନେ ସୁନିଆ ଦିନ ବେଦୀରେ ବସି ଗଣେଶ, ସରସ୍ୱତୀ, ଲକ୍ଷ୍ମୀ ଓ ଦେବଦେବୀଙ୍କୁ ପୂଜା କରନ୍ତି ! ସୁନିଆ ଭେଟି ଓ ଉଲାଗିର ପ୍ରଚଳନ ରହିଛି !
‘ସୁନିଆ’ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। କାରଣ, ଏହିଦିନ ଓଡ଼ିଶାର ରାଜାମାନଙ୍କର ରାଜତ୍ୱର ନୂଆ ବର୍ଷ ଗଣନା ହୋଇଥାଏ। ଏବେ ରାଜତନ୍ତ୍ର ନ ଥିଲେ ମଧ୍ୟ ରାଜ ପରିବାରମାନଙ୍କରେ ଏ ପର୍ବ ପାଳିତ ହୋଇଆସୁଛି। ବିଶେଷକରି ଏହିଦିନ ଓଡ଼ିଶାର ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳନ ଏକ ଉତ୍ସବ ରୂପେ ପାଳିତ ହେଉଛି।
‘ସୁନିଆ’ ଶବ୍ଦର ଉଦ୍ଭବ କିପରି ଭାବରେ ହୋଇଛି, ସେ ସଂପର୍କରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବାପରି ତଥ୍ୟ ମିଳେ ନାହିଁ। କିନ୍ତୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ‘ସୁନିଆ’ର ଅର୍ଥ ‘ସ୍ୱର୍ଣ୍ଣମୁଦ୍ରା’, ‘ମଉଡ଼’, ବା ‘ମୋହର’। ଏହିଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କ ରାଜତ୍ୱର ନୂତନ ଅଙ୍କ ଖୋଦନ କରାଯାଏ। ତାହାକୁ ‘ଅଙ୍କକଟା’ କୁହାଯାଏ। ଏଣୁ ‘ସୁନିଆ’ ଶବ୍ଦଟି ସୁନା ବା ସ୍ୱର୍ଣ୍ଣମୁଦ୍ରା ସହିତ ସଂପର୍କିତ ବୋଲି ଅନେକେ ମତ ପୋଷଣ କରନ୍ତି।ଏହିଦିନ ଗଜପତି ମହାରାଜାଙ୍କର ନୂତନ ଅଙ୍କର ପ୍ରଚଳନ ହୁଏ। ସୁନା ମୋହର ଉପରେ ଏହି ନୂତନ ଅଙ୍କ ଖୋଦିତ ହୁଏ। ଏହା ‘ଅଙ୍କକଟା’ ଭାବରେ ଖ୍ୟାତ। ଏଣୁ ‘ସ୍ୱର୍ଣ୍ଣମୁଦ୍ରା’ରୁ ‘ସୁନିଆ’ ହୋଇଛି ବୋଲି କୁହାଯାଏ। କୃଷ୍ଣ ସିଂହଙ୍କ ‘ମହାଭାରତ’ରେ ଏହାର ପ୍ରମାଣ ଅଛି। ‘ସଭାପର୍ବ’ର ବର୍ଣ୍ଣନାରେ କୁହାଯାଇଛି- “ସହସ୍ରେ ସୁନିଆରେ ଶିକାଟାଏ ଅଛି। / ସବୁ ରତ୍ନମାନଙ୍କେ ଭୂଷିତ ହୋଇଛି।” ସେହିପରି, ‘ଶାନ୍ତିପର୍ବ’ରେ ଉଲ୍ଲେଖ ଅଛି- “ନାଗର ଘେନି ଯେବେ ଆସିବ ସୁନିଆ। / ତାକୁ ଦେଖିଲେ ହୋଇବି ମୁଁ ନିଆଁ।” ଏ ଦୃଷ୍ଟିରୁ ‘ସୁନିଆ’ର ଅର୍ଥ- ସ୍ୱର୍ଣ୍ଣମୁଦ୍ରା, ମଉଡ଼ ବା ମୋହର ବୋଲି ‘ଭାଷାକୋଷ’ରେ କୁହାଯାଇଛି।
ଏହିଦିନ ରାଜା ବା ଜମିଦାରମାନଙ୍କର ଅଭିଷେକ ହୋଇଥାଏ। ପୁରୀ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ। ପୂର୍ବେ ଏହିଦିନ ରାଜକର୍ମଚାରୀ ଓ ପ୍ରଜାମାନେ ରାଜାଙ୍କୁ ଧନ, ରତ୍ନ ଆଦି ନାନା ଉପହାର ଦେବାର ବିଧି ବା ପରମ୍ପରା ପ୍ରଚଳିତ ଥିଲା। ତାହା ‘ସୁନିଆ ଭେଟି’ ଭାବରେ ପ୍ରସିଦ୍ଧ ହୋଇଥିଲା।
ଆଉ ଗୋଟିଏ ମତ ହେଉଛି- ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ। ଏ ସଂପର୍କରେ ଉଲ୍ଲେଖନୀୟ ଯେ ୧୯୫୫ରେ ଭାରତ ସରକାରଙ୍କ ପକ୍ଷରୁ ‘କ୍ୟାଲେଣ୍ଡର ରିଫର୍ମ କମିଟି’ର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଭାଦ୍ରପଦ ମାସର, ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ ବୋଲି କୁହାଯାଇଛି। ଗଜପତି ମହାରାଜାଙ୍କ ପରମ୍ପରା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଭକ୍ତି ଓ ସେବା ସୂତ୍ରରେ ଯୋଡ଼ା ହୋଇଛି। ଏଣୁ ଏହି ଦିନଟି ସେ ଦୃଷ୍ଟିରୁ ରାଜକୀୟ ନବବର୍ଷ ରୂପେ ପାଳିତ ହୋଇ ଆସୁଛି। ଓଡ଼ିଶାର ସମସ୍ତ ରାଜା ମଧ୍ୟ ଏହି ସୂତ୍ରରେ ଶ୍ରୀଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛନ୍ତି।
ପୌରାଣିକ ପରମ୍ପରା ଅନୁସାରେ, ଆଷାଢ଼ ଶୁକ୍ଳ ଏକାଦଶୀଠାରୁ ଚାରିମାସ ହେଉଛି ‘ଚାତୁର୍ମାସ୍ୟା’। ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା ଭଗବାନ ବିଷ୍ଣୁ ଏହି ସମୟରେ ବିଶ୍ରାମ ନିଅନ୍ତି। ଏଥିପାଇଁ ତିନିଟି ଦିନ ଧାର୍ଯ୍ୟ କରାଯାଇଛି। ଗୋଟିଏ- ହରିଶୟନ, ଏହାର ତିଥି ଆଷାଢ଼ ଶୁକ୍ଳ ଏକାଦଶୀ। ଦ୍ୱିତୀୟଟି- ପାଶ୍ୱର୍ପରିବର୍ତ୍ତନ, ଏହାର ତିଥି ଭାଦ୍ରବ ଶୁକ୍ଳ ଏକାଦଶୀ। ଏବଂ ତୃତୀୟଟି- ଦେବ ଉତ୍ଥାପନ, ଏହାର ତିଥି କାର୍ତ୍ତିକ ଶୁକ୍ଳ ଏକାଦଶୀ। ଏହି ତିନି ଏକାଦଶୀ ମଧ୍ୟରେ ପାର୍ଥକ୍ୟ ଦୁଇ ଦୁଇ ମାସ। ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇଥିବା ବିଷ୍ଣୁ, ଦୁଇମାସ ପରେ ଭାଦ୍ରବ ଶୁକ୍ଳ ଏକାଦଶୀରେ କଡ଼ ଲେଉଟାନ୍ତି। ସେ ନିଦ୍ରାତ୍ୟାଗ କରନ୍ତି ଆଉ ଦୁଇ ମାସ ପରେ, କାର୍ତ୍ତିକ ଶୁକ୍ଳ ଏକାଦଶୀରେ। ଏଣୁ ଭାଦ୍ରବ ଶୁକ୍ଳ ଏକାଦଶୀ ଏପରି ଏକ ସନ୍ଧିଲଗ୍ନ- ଯେଉଁଠାରୁ ଭଗବାନ ବିଷ୍ଣୁଙ୍କର କ୍ରମଜାଗରଣର ପର୍ବ ଆରମ୍ଭ ହୁଏ। ଏ ଦୃଷ୍ଟିରୁ ଭାଦ୍ରବ ଶୁକ୍ଳ ଏକାଦଶୀ ତିଥି ପରମ ପୁଣ୍ୟପ୍ରଦ। ତେଣୁ ତାହାର ପରଦିନ, ଦ୍ୱାଦଶୀର ପୁଣ୍ୟ ତିଥିରେ ସୁନିଆ ପର୍ବ ପାଳିତ ହେବାର ବିଶେଷ ତାତ୍ପର୍ଯ୍ୟ ରହିଛି ବୋଲି ମନେହୁଏ।
ଭଗବାନ ବିଷ୍ଣୁଙ୍କ ‘ବାମନାବତାର’ ସହିତ ଏହାର ଏକ ସଂଯୋଗସୂତ୍ର ରହିଛି। ଭାଦ୍ରବମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଶ୍ରବଣା ନକ୍ଷତ୍ର ଓ ଅଭିଜିତ୍ ମୁହୂର୍ତ୍ତରେ, ଏକ ଦିବ୍ୟ ଜ୍ୟୋତିର୍ମୟ ବାଳକ ରୂପରେ ‘ବାମନାବତାର’ଙ୍କର ଆବିର୍ଭାବ ଘଟିଥିଲା। ‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ତାହାପରେ ତାଙ୍କର ଜାତସଂସ୍କାର ବା ଅଭିଷେକ କରାଯାଇଥିଲା। ସେହି ଅବସରରେ ବ୍ରହ୍ମା ତାଙ୍କୁ କୃଷ୍ଣସାର ମୃଗର ଚର୍ମ ଓ ଦେବଗୁରୁ ବୃହସ୍ପତି ଯେଜ୍ଞାପବୀତ ଉପହାର ଦେଇଥିଲେ। ଋଷିମାନଙ୍କ ମଧ୍ୟରୁ, ବ୍ରହ୍ମାପୁତ୍ର ମରୀଚି ପଳାଶଦଣ୍ଡ, ଅଙ୍ଗିରା ରେଶମବସ୍ତ୍ର, ପୁଲହ ଆସନ ଓ ପୁଲସ୍ତ୍ୟ ହରିଦ୍ରାବର୍ଣ୍ଣର ବସ୍ତ୍ର ଉପହାର ଦେଇଥିଲେ। ତାହାପରେ ସେହି ବାମନ, ବଳିଙ୍କଠାରୁ ଛଳରେ ଦାନ ଗ୍ରହଣ କରିବାପାଇଁ ତାଙ୍କ ଯଜ୍ଞସ୍ଥଳକୁ ଯାତ୍ରା କରିଥିଲେ।
Comments are closed.