୪ କୋଟିରେ ଭଞ୍ଜନଗର ଡାକ୍ତରଖାନା ରୂପାନ୍ତରୀକରଣ

ଭଞ୍ଜନଗର: ୫-ଟି ଉପକ୍ରମ ଅନ୍ତର୍ଗତ ରୂପାନ୍ତରୀକରଣ ପ୍ରକ୍ରିୟାରେ ଚମକିବାକୁ ଯାଉଛି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା। କେବଳ ଯେ ଭିତ୍ତିଭୂମି ବିକାଶ କରାଯାଉଛି ତାହା ନୁହେଁ, ଏହାର ପରିସରକୁ ମଧ୍ୟ ରୋଗୀଙ୍କ ସକାଶେ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି। ଏଥିପାଇଁ ୪୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇ ସାରିଛି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶୀଘ୍ର ନିର୍ମାଣ ହେବ ୩୦ ଶଯ୍ୟା ବିଶିଷ୍ଟ ନୂତନ ଶିଶୁ ଓ ମାତୃମଙ୍ଗଳ କୋଠା। ଏଥିପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଛି। କୋଠା ନିର୍ମାଣ ପାଇଁ ଉଦ୍ଦିଷ୍ଟ ସ୍ଥାନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପରେ ନୂତନ କୋଠା ନିର୍ମାଣ ଆରମ୍ଭ ହୋଇଯିବ। ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକରୁ ଏହି ସୂଚନା ମିଳିଛି।

ଏହି ଉପଖଣ୍ଡ ଡାକ୍ତରଖାନା ଉପରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ ସମେତ ପଡ଼ୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମାଞ୍ଚଳର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି। ଗତ ୩ ମାସ ମଧ୍ଯରେ ଏହି ଡାକ୍ତରଖାନା ବର୍ହି ବିଭାଗରେ ୬୫ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ଏହାର ପ୍ରମାଣ ମାତ୍ର। ଡାକ୍ତରଖାନା ପରିସରରେ ଆଗାମୀ ଦିନରେ ରୋଗୀଙ୍କ ମାନସିକ ଚାପ ହାସ ପାଇଁ ପ୍ରାକୃତିକ ଶୋଭାରାଜି ସମ୍ବଳିତ ଭିଡିଓ ପ୍ରଦର୍ଶନ ସହ ଚାରାରୋପଣ କରି ସବୁଜିମା ପରିବେଶ ସୃଷ୍ଟି ଉପରେ ପଦକ୍ଷେପ ନିଆଯିବାର ଯୋଜନା ରହିଛି। ଏଥିସହ ଆହୁରି ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଡାକ୍ତରଖାନାର ନବକଳେବର କରାଯିବାର ପଦକ୍ଷେପ ଗ୍ରହଣ କରାଉଛି। ଫଳରେ ଆଗାମୀ ଦିନରେ ରୋଗୀ, ସେମାନଙ୍କ ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ନିମନ୍ତେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବା ଆଶା କରାଯାଉଛି।

Comments are closed.