ଗାନ୍ଧି ଜୟନ୍ତୀରୁ ସାଇବର୍‌ ସୁରକ୍ଷା ଅଭିଯାନ, ବୁଲିବ ସଚେତନତା ରଥ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସାରା ରାଜ୍ୟରେ ସାଇବର୍‌ ସଚେତନତା ଦୃଷ୍ଟିରୁ ସ୍ବତନ୍ତ୍ର ଅଭିଯାନକୁ ଉଦ୍‌ଘାଟନ କରିଥିଲେ। ଆଉ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ପ୍ରତି ପୋଲିସ ଜିଲ୍ଲାରେ ଏ ନେଇ ସଚେତନତା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଧ୍ୟ ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଅଭିଯାନକୁ ଆଗେଇ ନେବାକୁ ଏସ୍‌ପିମାନେ ତତ୍ପର ହୋଇ ଉଠିଛନ୍ତି।

ଦିନକୁ ଦିନ ବଢୁଛି ସାଇବର୍‌ ଅପରାଧ। ଅନ୍‌ଲାଇନ୍‌ କ୍ରାଇମ୍‌, ଡିଜିଟାଲ୍‌ ଅପରାଧ, ସୋସିଆଲ୍‌ ମିଡିଆରେ ଠକେଇ ବାବଦରେ ଅପେକ୍ଷାକୃତ କମ୍‌ ଶିକ୍ଷିତ ଲୋକ, ଗ୍ରାମାଞ୍ଚଳ ବାସିନ୍ଦା, ବରିଷ୍ଠ ନାଗରିକ ତ ଏଭଳି ଅପରାଧର ଶିକାର ହେଉଛନ୍ତି ତା ସହ ଶିକ୍ଷିତ ଓ ପ୍ରତିଷ୍ଠିତ ଲୋକ ମଧ୍ୟ ଅନେକ ସମୟରେ ଏହି କାରଣରୁ ଅସୁବିଧାରେ ପଡୁଛନ୍ତି। ଡିଜିଟାଲ୍‌ ସାକ୍ଷରତା କମ୍‌ ଥିବାରୁ ଅପରାଧ ସଂଖ୍ୟା ବଢୁଛି। ତେଣୁ ରାଜ୍ୟ ସରକାର ଏ ଦିଗରେ ସଚେତନତାକୁ ପ୍ରାଥମିକତା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସାଇବର୍‌ ସୁରକ୍ଷା ସଚେତନତା ରଥ ପ୍ରତି ପୋଲିସ ଜିଲ୍ଲା ଅନ୍ତର୍ଗତ ସମସ୍ତ ଥାନା ଅଞ୍ଚଳରେ ପରିକ୍ରମା କରିବ। ଲୋକଙ୍କୁ ସାଇବର୍‌ ଅପରାଧକୁ ପ୍ରତିହତ କରିବା ସମ୍ପର୍କରେ ସଚେତନ କରାଇବ। ଏଥିପାଇଁ ଲୋଗୋ, ଗୀତ, ଡିଜିଟାଲ୍‌ ସଚେତନତା ବାର୍ତ୍ତା ଓ ମାସ୍କଟ୍‌ ମଧ୍ୟ ପ୍ରସ୍ତୁତ ହୋଇଛି।

ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ସୂଚନା ମୁତାବକ ଏହି ରଥ ପୋଲିସ ଜିଲ୍ଲାର ୨୫ଟି ଥାନା ଅଞ୍ଚଳରେ ବୁଲିବ। ଏଥିପାଇଁ ରାଜ୍ୟ ସ୍ତରରୁ ୨ଟି ରଥ ଛତ୍ରପୁରରେ ପହଞ୍ଚିଛି। ସମ୍ପୃକ୍ତ ଆଇଆଇସିମାନେ ନିଜ ଥାନା ଇଲାକାରେ ଏହାର ପରିକ୍ରମା ପରିଚାଳନା କରିବେ। ରଥ ପରିକ୍ରମା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆସନ୍ତା ୮ ତାରିଖରେ ବିଭିନ୍ନ ବର୍ଗ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଗଞ୍ଜାମ ପୋଲିସ ଜିଲ୍ଲାର ଗୋଟିଏ ଅଞ୍ଚଳରେ ପଦଯାତ୍ରା ଆୟୋଜିତ ହେବ। ସେହିପରି ୯ ତାରିଖରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଘରକୁ ଘର ବୁଲି ପ୍ରଚାରପତ୍ର ବାଣ୍ଟିବେ।

ଗଞ୍ଜାମ ପୋଲିସ ଜିଲ୍ଲାରେ ଗତବର୍ଷ ୬୫ଟି ସାଇବର୍‌ ଅପରାଧ ପଞ୍ଜୀକରଣ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ୯୮ଟି ମାମଲା ଦାଏର ହୋଇଛି। ଆର୍ଥିକ ଓ ଅଣଆର୍ଥିକ କ୍ଷେତ୍ରରେ ଏହି ଅପରାଧ ହେଉଥିବା ବେଳେ ଏହାକୁ ରୋକିବାକୁ ଜନସାଧାରଣଙ୍କ ପାଇଁ ୧୯୩୦ ଫୋନ୍‌ ନମ୍ବର ଜାରି କରାଯାଇଛି। ରାଜ୍ୟ ବାହାର ଅପରାଧୀ ଆର୍ଥିକ ସାଇବର୍‌ ଅପରାଧରେ ସମ୍ପୃକ୍ତ ରହୁଥବାରୁ ସେମାନଙ୍କୁ ଧରିବାରେ ବିଳମ୍ବ ହୋଇଥାଏ। ତେବେ ଅଣ- ଅର୍ଥନୈତିକ ସାଇବର୍‌ ଅପରାଧ ସାଧାରଣତଃ ସ୍ଥାନୀୟ ଅପରାଧୀ କରୁଥିବାରୁ ସେମାନଙ୍କୁ କାବୁ କରିବାରେ ପୋଲିସକୁ ଶୀଘ୍ର ସଫଳତା ମିଳୁଛି। ଅଭିଯୋଗକାରୀ ବିଳମ୍ବରେ ରିପୋର୍ଟ କରୁଥିବାରୁ ଯାଞ୍ଚ ପ୍ରଭାବିତ ହୋଇଥାଏ। ଏଣୁ ଲୋକେ ଅପରାଧ ହେବା କ୍ଷଣି ପୋଲିସକୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।

ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଧ୍ୟ ଅକ୍ଟୋବର ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ କରାଯିବ। ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌ କହିଛନ୍ତି ଯେ- ବିଶେଷ କରି କିଶୋର କିଶୋରୀ ଓ ଯୁବ ଗୋଷ୍ଠୀ ଏବେ ବହୁଳ ଭାବେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ସେମାନେ ଇଣ୍ଟରନେଟ୍‌ ଜରିଆରେ ସାଇବର୍ ଅପରାଧୀଙ୍କ ସହଜ ଶିକାର ହେଉଛନ୍ତି। ଅନଲାଇନ୍ ଗେମ୍‌ ମାଧ୍ଯମରେ ପିଲାମାନଙ୍କୁ ଆକର୍ଷଣ କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ସୁଦ୍ଧା ଗ୍ରହଣ କରିବାକୁ ଉସୁକାଯାଉଛି। ପ୍ରଥମେ ଅଭିଭାବକମାନେ ପିଲାଙ୍କ ପ୍ରତି ସତର୍କ ହେବା ଆବଶ୍ୟକ। ପୋଲିସ ବିଭାଗର ସଚେତନତା ରଥରେ ଏଲ୍‌ଇଡି ଟିଭିରେ ଏ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଯିବ। ଏହି ଅଭିଯାନ ପରିପ୍ରେକ୍ଷୀରେ ଛତ୍ରପୁର ଓ ବ୍ରହ୍ମପୁର ଠାରେ ଆୟୋଜିତ ପୃଥକ୍‌ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏ କ୍ଷେତ୍ରରେ ଲୋକଙ୍କୁ ସଚେତନ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

Comments are closed.