ବରିଷ୍ଠ ନାଗରିକମାନେ ସମାଜର ମୂଲ୍ୟବାନ ସମ୍ପଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ମୂଲ୍ୟବାନ ସଂପଦ । ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଏହା କହି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କ ପାଖରେ ଅଭିଜ୍ଞତା ଓ ସମସ୍ୟାର ସମାଧାନ ରହିଛି। ସେମାନଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି। ସେମାନେ ଯେପରି ମର୍ଯ୍ୟାଦା ଓ ମାନସିକ ଶାନ୍ତି ସହ ଜୀବନଯାପନ କରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଦରକାର। ସେମାନଙ୍କ ଆଶୀର୍ବାଦ ସମାଜ ପାଇଁ, ଆମ ସମସ୍ତଙ୍କ ପାଇଁ ବହୁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ଚାରିଲକ୍ଷ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ପାଇଁ ଜରାଶ୍ରମ ସହ ବିଭିନ୍ନ ହସ୍‌ପିଟାଲ୍‌ରେ ଜେରିଆଟ୍ରିକ୍‌ ସେଣ୍ଟର, ଫିଜିଓଥେରାପି ସେଣ୍ଟର ପରି ଅନେକ ସୁବିଧା କରାଯାଇଛି। ସେମାନଙ୍କ ପାଇଁ ତୀର୍ଥଯାତ୍ରାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତେ ମିଶି ଆମର ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବରିଷ୍ଠ ନାଗରିକମାନଙ୍କୁ ସମାଜର ମଙ୍ଗୁଆଳ ଭାବେ ଅଭିହିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଗୁଣାତ୍ମକ ଜୀବନଚର୍ଯ୍ୟାରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାରେ ବରିଷ୍ଠ ନାଗରିକମାନେ ଉପଯୁକ୍ତ ପରାମର୍ଶ ଓ ମତାମତ ଦେବା ଉଚିତ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଠାଗାରଗୁଡ଼ିକର ପରିଚାଳନାରେ ସେମାନେ ଆପଣା ଅଭିଜ୍ଞତାକୁ ଭିତ୍ତିକରି ଅଂଶଗ୍ରହଣ କରିବା ଉପରେ ଅନୁ ଗର୍ଗ ଗୁରୁତ୍ୱ ଦେଇଥିଲେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ବୟସ୍କ ନାଗରିକଙ୍କ ସଂଖ୍ୟା ୨୦ ପ୍ରତିଶତରେ ପହଞ୍ଚିଥିବା ଉଲ୍ଲେଖ କରିବା ସହିତ ସେ ସାଇବର ସଚେତନତା, ପ୍ରତି ଥାନାରେ ରହିଥିବା ବରିଷ୍ଠ ନାଗରିକ ସେଲ୍‌ର କାର୍ଯ୍ୟକାରିତା ଓ ପୋଲିସ୍‌ ହେଲ୍‌ପ ଲାଇନ୍‌ର ଉପଯୋଗିତା ଉପରେ ମତାମତ ରଖିଥିଲେ। କାର୍ଯକ୍ରମରେ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ କହିଥିଲେ ଯେ ବୈଷୟିକ ବିଦ୍ୟା ଓ ଚିକିତ୍ସା ବିଜ୍ଞାନର ବିକାଶ ଫଳରେ ବୟସ୍କ ନାଗରିକଙ୍କ ଆୟୁ ବୃଦ୍ଧି ପାଇଛି ଓ ସେମାନଙ୍କ ପାଇଁ ଅଧିକ ସେବା ଓ ସୁରକ୍ଷା ଆବଶ୍ୟକ ହୋଇଛି। ବିଭାଗର ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଇଥିବାବେଳେ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଡାକ୍ତର କୃପାସିନ୍ଧୁ ପଣ୍ଡା ବକ୍ତବ୍ୟ ରଖିଥିଲେ।

Comments are closed.