ବିଜେଡି ଜନସମ୍ପର୍କ ଯାତ୍ରାର ଶୁଭାରମ୍ଭ କଲେ ନବୀନ, ବିରୋଧୀ ଦଳଙ୍କୁ ପୁଣି ଷଣ୍ଡୁଆସୀ ଆକ୍ରମଣ

ଭୁବନେଶ୍ବର – ଗାନ୍ଧି ଜୟନ୍ତୀ ଅବସରରେ ଆଜିଠାରୁ ଶାସକ ବିଜେଡିର ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦଳୀୟ ଜନସମ୍ପର୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି। ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସସି ଓ ଏସଟିଙ୍କ ପାଇଁ କାମ କରୁଛି। ମହିଳା ସଶକ୍ତିକରଣ ଦିଗରେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନର ଉଦ୍ୟମ ଥିଲା, ତାହା ସଫଳ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି। ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଉଦାହରଣ ସାଜିଛି।

ପଦଯାତ୍ରା ଶୁଭାରମ୍ଭ କରି ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି। ସେମାନେ ଖୁସି ନାହାନ୍ତି। ଭୁଲ୍ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଏବେ ସେମାନଙ୍କ କାମ ହୋଇଛି। ନିର୍ବାଚନ ଆସିଲେ ବିରୋଧୀ ଦଳ ଏମିତି କରନ୍ତି ।ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ପ୍ରତ୍ୟାଖ୍ୟାନ କରିଆସିଛନ୍ତି ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ । ଶ୍ରୀ ଲିଙ୍ଗରାଜ ଓ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟରେ ବାଧା ଦେବାକୁ ବି ଚେଷ୍ଟା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.