୨.୭ କିଲୋ ସୁନା, ନଗଦ ୨୬ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ପାର୍ବଣ ଋତୁକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ତତ୍ପର ଓ ସଜାଗ ଥିବା ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଚୋର ଗ୍ୟାଙ୍ଗକୁ କାବୁ କରିବା ସହ ସେମାନଙ୍କ ଠାରୁ ଜବତ କରିଛି ୨.୭ କିଗ୍ରା ସୁନା ଓ ନଗଦ ୨୬ ଲକ୍ଷ ଟଙ୍କା। ସାନବଜାର ଛକରେ ଥିବା ବିରାଜ ଗୋଲ୍ଡ ଟେଷ୍ଟିଙ୍ଗ୍ ସେଣ୍ଟରରେ ଚଢ଼ାଉ କରି ଏହି ସୁନା ଓ ଟଙ୍କା ଜବତ କରିଛି ପୋଲିସ। ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଚୋରି କରିବା ପରେ ଏଠାକୁ ଆଣି ସୁନା ତରଳାଉଥିଲେ ଓ ତାହାକୁ ବିକି ଟଙ୍କା ଉଠାଉଥିଲେ ବୋଲି ଜଣାପଡ଼ିଛି। ଏହି କାରବାରର ସୁରାକ ମିଳିବା ପରେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ ପ୍ରକାରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ସଦଳବଳ ଚଢ଼ଉ କରିଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବ୍ରହ୍ମପୁର ମହାନଗର ଓ ଉପକଣ୍ଠରେ କିଛି ଦିନ ହେଲା ଚୋରି ବୃଦ୍ଧି ପାଇବାରେ ଲାଗିଥିଲା। ଚୋରଙ୍କୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ସ୍ବତନ୍ତ୍ର ଟିମ୍‌ ଏ ଦିଗରେ ପ୍ରୟାସ ଚଳାଇଥିଲା। ଚୋର ଗ୍ୟାଙ୍ଗ୍‌ ପୋଲିସ ହାବୁଡ଼ରେ ପଡିବା ପରେ ସେମାନଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ସେମାନେ କିଛି ବ୍ୟାଙ୍କକୁ ଯାଇ ସୁନା ଋଣ ବା ବଦଳ ସୁପାରିଶ ଯୋଗାଡ଼ କରି ଲୁଟ କରିଥିବା ସୁନା ଅଳଙ୍କାର ସବୁ ଉପରୋକ୍ତ ଟେଷ୍ଟିଂ ସେଣ୍ଟରରେ ତରଳାଇ ସୁନା‌ ଖଣ୍ଡ କରୁଥିଲେ ବୋଲି ସ୍ବୀକାର କରିଥିଲେ। ଏହାପରେ ପୋଲିସ ସେଠାରେ ଚଢ଼ଉ କରିଥିଲା। ସେଣ୍ଟରରେ ବହୁ ସୁନା ତରଳାଇ ରଖାଯାଇଥିଲା। ଧରା ହୋଇଥିବା ସୁନା ଓ ଟଙ୍କାର ହିସାବ ମଗାଯାଇଛି। ପୁଲିସ ବିସ୍ତୃତ ଯାଞ୍ଚ କରିବା ପରେ ହି ବାସ୍ତବ ସତ୍ୟତା ଜଣାପଡ଼ିବ।

Comments are closed.