ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ଭୁବନେଶ୍ବର – ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ବିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ଭିଜଙ୍କ ନେତୃତ୍ବରେ ଏକ ବରିଷ୍ଠ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ୍ ଲିଡ୍ ପୁନୀତ ଜେ. କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବୁରାଇ , ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅଜୟ ଭିଜ୍ କହିଛନ୍ତି ଯେ , ଅଗ୍ରଣୀ ଶିକ୍ଷାନୁଷ୍ଠାନ , ଓଡ଼ିଶାର ଆଇଟି ଇକୋସିଷ୍ଟମ ଏବଂ ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ସହର ଭୁବନେଶ୍ବରରେ ଆମର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ । ଏହି ନୂତନ କେନ୍ଦ୍ର ସମଗ୍ର ବିଶ୍ବର ଗ୍ରାହକଙ୍କୁ ବୈଷୟିକ ସେବା ଯୋଗାଇବାରେ ସହାୟକ ହେବ ଏବଂ ରାଜ୍ୟର ଯୁବପିଢିମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଓଡ଼ିଶାରେ ଆକ୍ସେଞ୍ଚରର ନୂତନ ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ବୃହତ ବୃତ୍ତିଗତ ବୈଷୟିକ ସେବା କମ୍ପାନି । ଏହି କମ୍ପାନି ୧୨୦ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବିଭିନ୍ନ ସଂସ୍ଥାକୁ ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର କରିବା , ସେମାନଙ୍କ କାର୍ଯ୍ୟକୁ ସର୍ବୋଚ୍ଚ ଶିଖରକୁ ନେଇଯିବା ଏବଂ ବ୍ୟାପକ ସେବା , ସମସ୍ୟାର ସମାଧାନ ତଥା ସେମାନଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିଆସୁଛି । ଭୁବନେଶ୍ବରରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଆକ୍ସେଞ୍ଚରର ଏହି ଅତ୍ୟାଧୁନିକ ସେବାକେନ୍ଦ୍ର କମ୍ପାନିର ଗ୍ଲୋବାଲ ଡେଲିଭରି ନେଟୱାର୍କକୁ ସମ୍ପ୍ରସାରିତ କରିବ ଏବଂ ଶିଳ୍ପ କ୍ଷେତ୍ରର ଗ୍ରାହକଙ୍କ ପାଇଁ ଏହା ଅବଶ୍ୟକୀୟ ଟେକ୍ନୋଲୋଜି ସେବା ଯୋଗାଇଦେବ । ଆକ୍ସେଞ୍ଚର ଓଡ଼ିଶାରେ ୧ , ୨୦୦ରୁ ଅଧିକ ଦକ୍ଷ କର୍ମଚାରୀଙ୍କୁ ନେଇ ତାହାର ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପରିଚାଳନା କରିବାପାଇଁ ଲକ୍ଷ୍ୟ ରଖିଛି ।
ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଖୁବଶୀଘ୍ର ଓଡିଶାରେ ୭୫ , ୦୦୦ ବର୍ଗ ଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା – ସମୃଦ୍ଧ କେନ୍ଦ୍ର ସ୍ଥାପନ କରିବ । ଏଥିନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଏବଂ ଜାପାନ ଓ ଆମେରିକାରେ ରୋଡ୍ ସୋ ‘ କରିବା ସହ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । ଫଳରେ ଆଇବିଏମ୍ , ପିଡବ୍ଲୁସି , ଡେଲଏଟ୍ , ହାପିଏଷ୍ଟ ମାଇଣ୍ଡସ ଓ କନସେଟ୍ରିକ୍ସ ଆଦି ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରି ରାଜ୍ୟର ଆଇଟି କ୍ଷେତ୍ରରେ ୧୦ , ୦୦୦ରୁ ଅଧିକ ଲୋକଙ୍କୁ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିପାରିଛନ୍ତି । ଓଡ଼ିଶାରେ ଆକ୍ସେଞ୍ଚରର ପୁଞ୍ଜିନିବେଶ ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସର ଅନ୍ୟତମ ପ୍ରତିଫଳନ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଓଡ଼ିଶାରେ ଆକ୍ସେଞ୍ଚରର ପ୍ରବେଶକୁ ସ୍ବାଗତ କରି କହିଲେ , “ ଏହା ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ” ଏବଂ ଓଡିଶା ଆଇଟି କମ୍ପାନୀମାନଙ୍କ ନିବେଶ ସ୍ଥଳ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିଛି । ଓଡ଼ିଶାର ନିବେଶକ – ଅନୁକୂଳ ନୀତି , ଆଇଟି ଇକୋସିଷ୍ଟମ , ଅବଶ୍ୟକୀୟ ଭିଭିଭୂମି , ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ , ତଥା ରାଜ୍ୟ ସରକାରଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି । ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହିତ , ନିକଟ ଭବିଷ୍ୟତରେ ଓଡ଼ିଶା ଏକ ଗ୍ଲୋବାଲ ଆଇଟି ଏବଂ ସେମିକଣ୍ଡକ୍ଟର ହବରେ ପରିଣତ ହେବା ସହିତ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

Comments are closed.