ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା ୱେବିନାର

ଭୁବନେଶ୍ବର – ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ସାଇବର ସିକ୍ୟୁରିଟି ସେଲ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କହିଲେ ଯେ ଆଜିର ଇଣ୍ଟରନେଟ୍ ଦୁନିଆରେ ସ୍ମାର୍ଟଫୋନ୍ ସହ ଜଡ଼ିତ ସାଇବର ଅପରାଧ ବଢ଼ିବାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅର୍ଥ ରୋଜଗାର କରିବାର ଇଚ୍ଛା । ଆମେ ନିଜେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା । ଗାଁଗହଳିର ଲୋକଙ୍କୁ ଏ ବିଷୟରେ ଅଧିକ ସଚେତନ କରିବାର ସମୟ ଆସିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସହକାରୀ ପୋଲିସ କମିଶନର ଅଞ୍ଜନା ଟୁଡୁ ବିଭିନ୍ନ କଲେଜର ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସେ କହିଲେ ଯେ ଇଣ୍ଟରନେଟ ହେଉଛି ଦୁଇଧାରିଆ ଅସ୍ତ୍ର । ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ % । ଏଥିରୁ ଉପୁଜୁଥିବା ଅପରାଧର ସଂଖ୍ୟା ୪୦ % । ଲୋଭ , ମୋହ , ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢୁଛି । ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ । ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ । ଆଇଟି ଆକ୍ଟ , ପୋକ୍‌ସୋ ଆକ୍ଟ , ଆଇପିସି ଆକ୍ଟ ତଥା ସାଇବର ସିକ୍ୟୁରିଟି ପୋଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ । ଅନ୍‌ଲାଇନ୍‌ରେ cybercrime.gov.in କିମ୍ବା ୧୯୩୦କୁ ଡାଏଲ୍ କରି ଜଣେ ଏତଲା ଦାୟର କରିପାରିବ । ସତର୍କ ରହିବା ଏବଂ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ଵାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଆଜିର ଡିଜିଟାଲ୍ ଦୁନିଆରେ ଜୀବନ ଜିଇଁବା ବହୁତ ଆରାମଦାୟକ ହୋଇପାରିଛି । କିନ୍ତୁ ତା’ସହ ସାଇବର ଅପରାଧ ମଧ୍ୟ ଯୋଡି ହୋଇ ରହିଛି , ଯାହାକି ଡିଜିଟାଲ୍ ଦୁନିଆର ମେରୁଦଣ୍ଡ ଦୁର୍ବଳ କରିଦେଉଛି । ତେଣୁ ଓଡ଼ିଶା ସରକାରଙ୍କ ଦ୍ଵାରା ୩୪ଟି ସାଇବର ରଥର ଶୁଭାରମ୍ଭ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହା ଦ୍ଵାରା ଜନସାଧାରଣଙ୍କ ମଧ୍ୟରେ ସାଇବର ସଚେତନତାକୁ ବ୍ୟାପକ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟ ଏସଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରାଜ୍ୟ ଏସଏସଏସ ଅଫିସର ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.